ବସୁଧା ଯୋଜନା ଫେଲ: ସାଗୁନଡୁଙ୍ଗୁରୀ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା

ଖଡ଼ିଆଳ: ଜୁନ ୧୫ ତାରିଖ ଆସିଲେ ଚାଷୀ ମାନେ ଆଷାଢ଼ ମାସ ଆସିଗଲା ବୋଲି ଜମିରେ ହଳ କରି ଧାନ ବୁଣା ଆରମ୍ଭ କରି ଦେଇଥାନ୍ତି । ସେହିପରି ୨୦/୨୨ ବର୍ଷ ତଳେ ଚାଷୀ ମାନେ ବୁଣିଥିବା ଚାଷକୁ ବିହିଡା କରି ଅପରାହ୍ନ ସମୟରେ ରଥଯାତ୍ରା ଦେଖି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଲୋକେ ଧାନ ବୁଣା ବିହାଡ଼ା ତ ଛାଡ଼ ସ୍ନାନ ସହିତ ପିଇବା ପାଣି ଟିକକ ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୂଚନା ମତେ ଖଡ଼ିଆଳ ବ୍ଳକ ଗଡରାମୁଣ୍ଡା ଗ୍ରାମ ପଞ୍ଚାୟତ ସାଗୁଣ୍ଡୁଙ୍ଗୁରି ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି । ଗ୍ରାମରେ ଗତ କିଛି ବର୍ଷ ହେଲା ବସୁଧା ଯୋଜନାରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି । ସେଥିପାଇଁ ଗ୍ରାମରେ ଏକ ପାଣି ଟ୍ୟାଙ୍କ ମଧ୍ୟ ନିର୍ମାଣ ହୋଇଛି । ଏହି ପାଣି କୁସମାଲ ନଦୀରୁ ଯୋଗାଣ ହେଉଛି । ହେଲେ ଯୋଗାଣ ହେଉଥିବା କୁସମାଲ ମୋଟର ପାଖରୁ କେବୁଲ ଚୋରି ହୋଇଥିବାରୁ ପାଣି ଯୋଗାଣରେ ବ୍ୟାଘାତ ହେଉଛି । ଅଗାରୁ ଅନେକ ଥର ଏହି ପରି କେବୁଲ ଚୋରି ହୋଇଥିବା ବେଳେ ଗତ ୧୦ ଦିନରୁ ଅଧିକ ହେବ ପୁଣି ଥରେ କେବୁଲ ଚୋରି ହେବାରୁ ଗ୍ରାମରେ ପାଣି ଯୋଗାଣ ବନ୍ଦ ହୋଇଯାଇଛି । ୫ ଶହ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ଗ୍ରାମରେ କେବଳ ୨ ଗୋଟି ନଳକୂପ ରହିଛି । ଏହି ନଳକୂପରେ ମଧ୍ୟ ପାଣି କମ ବାହାରୁଛି । ଯାହାଫଳରେ ଶତାଧିକ ମହିଳା ମାନେ ରାତ୍ର ୩ ଘଣ୍ଟା ସମୟରୁ ଆସି ନଳକୂପରେ ଜଗି ପାଣି ନେଉଛନ୍ତି । ନଳକୂପରେ ପ୍ରାୟ ୨୦ ମିନିଟରେ ଗୋଟିଏ ଗରିଆ ପାଣି ବାହାରୁଛି । ଶତାଧିକ ମହିଳାଙ୍କୁ ଗରାଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଯାହାଫଳରେ ଗ୍ରାମର ପୁରୁଷ ମାନେ ନିକଟସ୍ଥ ଗ୍ରାମ ମାନଙ୍କୁ ଯାଏ ପାଣି ଆଣିବାକୁ ଯାଉଛନ୍ତି । ଏ ବିଷୟରେ ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ମୁ ବର୍ତ୍ତମାନ ପୁରୀରେ ଜଗନ୍ନାଥଙ୍କ ସେବାରେ ଅଛି । ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ କହୁଛି ସେ ତୁରନ୍ତ କେବୁଲ ମରାମତି କରିବେ ଓ ପାଣି ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ । ଏବିଷୟରେ ଗଡରାମୁଣ୍ଡା ସରପଞ୍ଚ ବୃନ୍ଦାବନ ବାଗଙ୍କୁ ଯୋଗାଯୋଗ କରାଯିବାରୁ ଗ୍ରାମରେ ଗତ କିଛି ଦିନ ତଳେ କେବୁଲ ଚୋରି ହେବାରୁ ପାଣି ସମସ୍ୟା ରହିଥିଲା । ଏବିଷୟରେ ମୁଁ କନିଷ୍ଠ ଯନ୍ତ୍ରୀ ଙ୍କୁ ମଧ୍ୟ ଜଣାଇଥିଲି । ପରେ ଗତ କିଛିଦିନ ହେଲା ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯୋଗାଇ ଦିଆଯାଉଥିଲା । ଆଜି ସନ୍ଧ୍ୟା ସୁଦ୍ଧା କେବୁଲ ଲଗାଇ ପାଣି ଯୋଗାଣ କରି ଦିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment