ପୁରୀ : ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକବୃନ୍ଦ । ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି । ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି । କାଲି ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତିକାନ୍ତି ଚାଲିବ ।
ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ଏଥିସହ ଖଡି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ । ଏହା ପରେ ଅସୁସ୍ଥ ମହାପ୍ରଭୁ ନବଯୋ÷÷ବନପ୍ରାପ୍ତି ହେବେ । ଆଜି ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳିପ୍ରସାଦ’ ବିଜେ କରିବ । ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକମାନେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରିବେ । ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସମ୍ପନ୍ନ ହେବ । ପରମ୍ପରା ମୁତାବକ, ଆଜି ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଘନ ଅନ୍ଧକାରରେ ବିରୂପ ବିସର୍ଜନ କରାଯିବ । ଏହାକୁ ଜଳସମାଧି ଦିଆଯିବ । ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସମ୍ପନ୍ନ ହେବ । ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି । ଏଥିପାଇଁ ଶନିବାର ଦିନ ସଂଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ମା’ ବିମଳାଙ୍କ କୂଅରୁ ଜଳ ନିଆଯାଇଛି । ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଘଣାଲାଗି ନୀତି ଶନିବାର ରାତିରୁ ଆରମ୍ଭ ହୋଇଛି ।
ଘଣାଲାଗି ନୀତି ଅନୁଯାୟୀ, ମହାପ୍ରଭୁଙ୍କଠାରେ ଲାଗିଥିବା ପୁରୁଣା ବାସୁଙ୍ଗାପାଟକୁ ଖୋଲାଯାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ନୂଆ ବାସୁଙ୍ଗାପାଟ ଲାଗି କରାଯିବ । ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବ । ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡିପ୍ରସାଦ ବିଜେ ହେବ । ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡି ପ୍ରସାଦ ଲାଗି ହେବ ।