ସମୀରଙ୍କ ଘରେ ଫୁଟିଲା ବ୍ରହ୍ମ କମଳ

ହରଭଙ୍ଗା : ଦୀର୍ଘ ଚାରିବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ଚଳିତ ବର୍ଷ ଶ୍ରାବଣ ମାସରେ ବାଡ଼ିରେ ଫୁଟିଲା ୩ଟି ବ୍ରହ୍ମ କମଳ । ଯାହାକୁ ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଝାଡ୍ରାଜିଙ୍ଗ ଗ୍ରାମର ସମୀର ନାଏକ ଘରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ସୂଚନା ମୁତାବକ ଚାରିବର୍ଷ ତଳେ ସମୀର ବାବୁ ତାଙ୍କ ମାମୁଁଙ୍କ ଘର କଟକ ଯାଇଥିଲେ । ସେଠାରୁ ସେ ତାଙ୍କ ମାମୁଁଙ୍କ ପରାମର୍ଶ କ୍ରମେ ବ୍ରହ୍ମକମଳର ଖଣ୍ଡେ ପତ୍ର ଆଣି ଘରେ ଲଗାଇଥିଲେ । ପତ୍ରରୁ ଗଛ ହେବାର ଚାରିବର୍ଷ ପରେ ଏବେ ସମୀରଙ୍କ ବାଡ଼ିରେ ୩ଟି ବ୍ରହ୍ମ କମଳ ଫୁଟିଥିବା ବେଳେ ୩ଟି ଫୁଲ କଢ ମଧ୍ୟ ରହିଛି । ଯେଉଁ ଫୁଲ ମହାପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ଫୁଲ ହୋଇଥିବା ବେଳେ ଆଜି ଦୁଇଟି ଚାରିଛକ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି । ଅନ୍ୟପଟେ ଘର ବାଡ଼ିରେ ବ୍ରହ୍ମକମଳ ଫୁଟି ଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି କହିଛନ୍ତି ସମୀର । ବ୍ରହ୍ମକମଳ ଫୁଲ ବିଶ୍ୱର ଏକ ମୂଲ୍ୟବାନ ଫୁଲ ହୋଇ ଥିବା ବେଳେ ଏହାର ବାସ୍ନା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସାଧାରଣତ ଫୁଲଟି ରାତିରେ ଫୁଟୁ ଥିବା ବେଳେ ସକାଳ ହେଲେ ମଉଳି ଯାଇଥାଏ ।

Comments (0)
Add Comment