ହରଭଙ୍ଗା : ୬ଖଣ୍ଡ ମୌଜା ବାସୀଙ୍କ ସମେତ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କୁ ପ୍ରତିବନ୍ଧକ ହେଉଛି ନିର୍ମାଣଧୀନ ଥିବା ବୀରନରସିଂହପୁର-କରଡ଼ି ଆରଡି ରାସ୍ତା । ନିର୍ମାଣାଧୀନନ ରାସ୍ତା, ପୋଲ ଆଦି ବର୍ଷା ପୂର୍ବରୁ କାର୍ଯ୍ୟ ନ ସାରିବା ଏବଂ ବାଇପାସ ରାସ୍ତା ସଠିକ ଢଙ୍ଗରେ ତିଆରି ହୋଇନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ଠାରୁ କରଡ଼ି ପର୍ଯ୍ୟନ୍ତ ୪କିଲୋମିଟର ରାସ୍ତାରେ । ରାସ୍ତା ନିର୍ମାଣ ସହିତ ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ଉକ୍ତ ରାସ୍ତାଟି ୧,୪୯,୩୭,୩୩୯ଟଙ୍କା ବ୍ୟୟ ଅଟକଳରେ ମିଶ୍ର ଇନଫା ପୋଜେକ୍ଟ ନାମକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡିଛି । ହେଲେ ରାସ୍ତା ନିର୍ମାଣ ନିମ୍ନମାନର ଓ ମନ୍ଥର ଗତିରେ ଚାଲୁଥିବା ନେଇ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ଉପରେ ନୂଆପଡା, ମହୁଲବୁରୀ, ବୀରନରସିଂହପୁର, ଡୁମୁରିମୁଣ୍ଡା, ବଡ଼ ସୁବଳୟା, କରଡ଼ି, ମହାକୁଡ଼ପାଲି ଜନସାଧାରଣଙ୍କ ସହିତ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ନିର୍ଭରଶୀଳ । ତେଣୁ ଏହି ବ୍ୟସ୍ତବହୁଳ ରାସ୍ତା ନିର୍ମାଣ ମନ୍ଥର ଗତି ଓ ନିମ୍ନମାନର ହେଉଥିବାରୁ ଅଂଚଳବାସୀ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆରଡି ବିଭାଗୀୟ ଏସଡିଓ ବିଦ୍ୟାଧର ମହାନ୍ତିଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ କାର୍ଯ୍ୟରେ କୌଣସି ନିମ୍ନମାନର ହୋଇ ନାହିଁ କିନ୍ତୁ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ । ଏଣୁ ଉକ୍ତ ରାସ୍ତା କାର୍ଯ୍ୟର ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।