ଶ୍ରାବଣର ଶେଷ ସୋମବାରରେ ଶ୍ରୀଲୋକନାଥ ମନ୍ଦିରରେ କାଉଡିଆଙ୍କ ଭିଡ

ପୁରୀ : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପୁରୀ ଶ୍ରୀଲୋକନାଥ ମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ । କିଏ କଟକ ଗଡଗଡିଆ ଘାଟରୁ ପାଣି ଉଠାଇ ଆସିଛି ତ ଆଉ କିଏ ଚନ୍ଦନପୁର ଭାର୍ଗବୀରୁ ପାଣି ଉଠାଇ ଆସିଛି । ଗତରାତି ପ୍ରାୟ ୧୨ଟା ଠାରୁ ଶ୍ରୀଲୋକନାଥଙ୍କ ନିକଟରେ ଚାଲିଛି ଜଳଲାଗି । ନିର୍ଦ୍ଧାରିତ ୨୦ଟଙ୍କାର ଟିକେଟ କାଟି କାଉଡିଆ ମାନେ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରୁଛନ୍ତି । ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ଶ୍ରାବଣ ମାସ ସୋମବାରରେ ଶ୍ରୀକ୍ଷେତ୍ର ଆସିଲେ ଭକ୍ତଙ୍କୁ ତିନୋଟି ପୁଣ୍ୟ ମିଳିଥାଏ । ଲୋକନାଥଙ୍କ ନିକଟରେ ଜଳଲାଗି ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ମହୋଦଧିରେ ବୁଡପକାଇବାର ସୁଯୋଗ ମିଳିଥାଏ । ଏଥିଲାଗି ଶ୍ରୀକ୍ଷତ୍ରକୁ ପାଣିଭାର ନେଇ ଆସିବାକୁ କାଉଡିଆ ଭକ୍ତମାନେ ପ୍ରାଥମିକତା ଦେଇଥାନ୍ତି । ତେବେ ଶୃଙ୍ଖଳିତ ଦର୍ଶନ ସହିତ ଶୃଙ୍ଖଳିତ ଜଳଲାଗି ପାଇଁ ଟ୍ରଷ୍ଟ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । କାଉଡିଆ ମାନେ ପାଣିଭାର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । କାଉଡିଆମାନେ ମନ୍ଦିରକୁ ପ୍ରବେଶ ପାଇଁ ରୋଷଶାଳା ପଛପଟେ ବେରିକେଡ କରାଯାଇଛି । ଟିକେଟ କାଟି ପ୍ରବେଶ କରିବେ ଓ ମୁଖ୍ୟଦ୍ୱାର ଦେଇ ପ୍ରସ୍ଥାନ କରିବେ । ସାଧାରଣ ଭକ୍ତ ଓ ଦର୍ଶନାର୍ଥିଙ୍କ ପାଇଁ ବି ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ତେବେ ମଳମାସ ଯୋଗୁଁ କାଉଡିଆ ଭକ୍ତଙ୍କ ପାଇଁ ଟିକେ ସମସ୍ୟା ଥିଲେ ମଧ୍ୟ ଶ୍ରାବଣ ମାସର ଶେଷ ସୋମବାରରେ ବେଶ୍‌ ଉତ୍ସାହିତ ଭକ୍ତ । ଶ୍ରୀଲୋକନାଥଙ୍କ ମନ୍ଦିର ସେବକ ମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ନିତି ସଅଳ ସହିତ ଭକ୍ତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି । ପ୍ରଶାସନ ପକ୍ଷରୁ ପାନୀୟଜଳ ଠାରୁ ଆରମ୍ଭ କରି ସବୁକିଛି ବ୍ୟବସ୍ଥା କରାଯାଇଛି । ସେପଟେ ହଜାର ହଜାର ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶରେ ପ୍ରାୟ ଜଣେ ଅତିରିକ୍ତ ଏସପି, ଡିଏସପି, ଆଠ ଇନିସପେକ୍ଟରଙ୍କ ସହ ୪୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି ।

Comments (0)
Add Comment