ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ପୁଣି ଏଏସ୍‌ଆଇ ଆରମ୍ଭ କଲା କାର୍ଯ୍ୟ

ପୁରୀ : କୋଣାର୍କ ଐତିହ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ପୁଣି ଏଏସ୍‌ଆଇ କାର୍ଯ୍ୟ ଆରମ୍ଭ କରିଛି । ମନ୍ଦିରର ସୁରକ୍ଷା ପାଇଁ ଗତ ମାର୍ଚ୍ଚରୁ ବାଲି କଢ଼ାଯାଇଥିଲେ ହେଁ କିଛି ସମସ୍ୟା ଯୋଗୁଁ ତାହା ବନ୍ଦ ରହିଥିଲା । ତେବେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି । କ୍ରେନ୍‌ ଜରିଆରେ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ପୁର୍ନବାର ବିମ୍‌ ଦିଆଯିବା କାମ ଆରମ୍ଭ ହୋଇଛି । ଏଥିପାଇଁ ମନ୍ଦିର ପରିସରରେ କାର୍ଯ୍ୟାଭାର ନେଇଥିବା ସଂସ୍ଥାର ଅଧିକାରୀମାନଙ୍କ ସହ ଏଏସ୍‌ଆଇର ସ୍ଥାନୀୟ ଅଧିକାରୀ ଦେବେନ୍ଦ୍ର କୁମାର ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ଦୀର୍ଘ ମାସ ଧରି ପଡ଼ି ରହିଥିବା ଲୁହା ବିସ୍‌କୁ କ୍ରେନ୍‌ ମାଧ୍ୟମରେ ଉଠାଯାଇ ମନ୍ଦିର ପିଢ଼କୁ ସୁରକ୍ଷିତ ରଖିବା ପାଇଁ ଲଗାଯାଉଛି । ପୂର୍ବରୁ ଦଶନ୍ଧି ଧରି ସୂର୍ଯ୍ୟମନ୍ଦିର ଚାରିପାଖରେ ଲୁହା ପାଇପ୍‌ ଭାରାରେ ୯ ଅଟକାଇ ରଖାଯାଇଥିଲା । ମାତ୍ର ବାରମ୍ବାର ଦାବି ପରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଏହି ଲୁହା ପାଇପ୍‌କୁ ହଟାଇଥିଲେ । ପାଇପ୍‌ ହଟାଯିବା ପରେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ଘୋଡ଼ାଦ୍ୱାର ସମ୍ମୁଖରେ ଥିବା ମନ୍ଦିରର ଦ୍ୱିତୀୟ ପିଢ଼କୁ ସୁରକ୍ଷିତ ରଖିବାକୁ ପ୍ରଥମେ ଏକ ସିଙ୍ଗଲ୍‌ ଲୁହା ବିମ୍‌ ଦିଆଯାଇଥିଲା । ସିବିଆର୍‌ଆଇର ଲେଜର୍‌ ସ୍କାନିଂରୁ ମନ୍ଦିରର ବାଲି ୧୭ ଫୁଟ୍‌ ଦବିଥିବା ନେଇ ରିପୋର୍ଟ ଆସିଥିଲେ ମଧ୍ୟ ଏଏସ୍‌ଆଇ ପକ୍ଷରୁ ଏନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନଥିଲା । ତେବେ ୨୦୨୦ ମସିହା ଫେବ୍ରୁଆରି ୨୮ ଓ ୨୯ ଦୁଇଦିନ ଧରି କୋଣାର୍କରେ ସୂର୍ଯ୍ୟମନ୍ଦିର ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଏଏସ୍‌ଆଇର ତତ୍କାଳୀନ ଡିଜି ଉଷା ଶର୍ମା, ତତ୍କାଳୀନ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌ ବାଲକ୍ରିଷ୍ଣନ, ସୂର୍ଯ୍ୟମନ୍ଦିର ପାଇଁ ନିଯୁକ୍ତ ଆମିକ୍ୟୁସକ୍ୟୁରୀ ଏନ୍‌.କେ ମହାନ୍ତି, ଗବେଷକ ଅମୀୟଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସୂର୍ଯ୍ୟମନ୍ଦିରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଲୁହା ବିମ୍‌ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଘୋଡ଼ାଦ୍ୱାର, ହାତୀଦ୍ୱାରର ବିଭିନ୍ନ ସ୍ଥାନରେ ସିଙ୍ଗଲ୍‌ ବିମ ଦିଆଯାଉଛି । ସେହିଭଳି ମନ୍ଦିର ମୁଖଶାଳାର ଗର୍ଭଗୃହରୁ ବାଲି ନିଷ୍କାସନ ପାଇଁ ଆସିଥିବା ଯନ୍ତ୍ରାଶଂଗୁଡ଼ିକୁ ମଧ୍ୟ ଉପଯୁକ୍ତ ସ୍ଥାନରେ ଲଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କ୍‌ରେନ୍‌ ଲୁହା ବିମ୍‌ ଉଠାଇବା ସମୟରେ ଯଦି ମନ୍ଦିରର କାରୁକାର୍ଯ୍ୟ ସଂସ୍ପର୍ଶରେ ଆସେ, ତେବେ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଏସ୍‌ଆଇ କର୍ତ୍ତୃପକ୍ଷ ବିକଳ୍ପ ପଦ୍ଧତିରେ ବିମ୍‌ ଲଗାଇବା କାର୍ଯ୍ୟ କରିବା ପାଇଁ ଦାବି ଉଠିଛି ।

Comments (0)
Add Comment