ପାରଳାଖେମଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ମହାନ୍ତି ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଫାଲଗୁନି ମାଝୀ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଲକ୍ଷ୍ମୀପୁର ସମେତ କଇଁପୁର, ଜିରାଙ୍ଗ ଓ ତଳମୁଣ୍ଡା ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୨୦୨ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୧୪୫ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୫୭ ଓ ୬୩ ଗୋଟି ଅଭିଯୋଗକୁ ତୁରନ୍ତ ଫଇସଲା କରାଯାଇ ସମାଧାନ କରାଯାଇଛି । ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ସେଥି ମଧ୍ୟରୁ ଚାରି ଗୋଟି ପଞ୍ଚାୟତ ୧୦୮ ଜଣ ହିତଧିକାରୀଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଅଜିର ମିଳିତ ଜନ ଅଭିଯୋଗ ଶୁଣାଣିରେ ଆବେଦନର ତୁରନ୍ତ ଫଇସଲା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପାଣି, ସ୍ଥାନୀୟ ସରପଞ୍ଚ, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ସିଂ, ତହସିଲଦାର ଶ୍ରୀମତୀ ଲୀଳାବତୀ ଆଚାର୍ଯ୍ୟ, ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।