ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ହରଭଙ୍ଗା : ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଚାରିଛକ ଉଚ୍ଚ ପ୍ରାଥମିକ ସ୍କୁଲ ସମ୍ମୁଖରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବଦଳି ପ୍ରତ୍ୟାହାର ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଦ୍ୟାଳୟ ବନ୍ଦ କରାଯିବାକୁ ଚେତାବନୀ ଦେଲେ ଅଭିଭାବକ । ସୂଚନା ଅନୁଯାୟୀ ଗତକାଲି ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୭୯ ଜଣ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ହୋଇଥିବା ବେଳେ ହରଭଙ୍ଗା ବ୍ଲକରୁ ୫୯ ଜଣ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ମିଳିଛି । ତେବେ କିଛି ପ୍ରଧାନ ଶିକ୍ଷକଙ୍କ ମଧ୍ୟ ଅଦଳବଦଳ ହୋଇଥିବା ବେଳେ ଅନେକ ଜାଗାରେ ଏହାକୁ ବିରୋଧ କରାଯାଉଛି । ସେହିପରି ହରଭଙ୍ଗା ବିଇଓ କାର୍ଯ୍ୟାଳୟକୁ ଲାଗି ରହିଥିବା ଚାରିଛକ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ଭୋଇଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଏହାକୁ ବିରୋଧ କରି ସ୍କୁଲର ଛାତ୍ରଛାତ୍ରୀ, ପରିଚାଳନା କମିଟି ଓ ଅଭିଭାବକ ଗେଟ ସମ୍ମୁଖରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇଙ୍କ ବଦଳି ପ୍ରକ୍ରିୟା ପ୍ରତ୍ୟାହାର ନହେଲା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ମାନେ । କିନ୍ତୁ ପରବର୍ତ୍ତୀ ସମୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏବିଓ ଓ ସିଆରସିସିଙ୍କ ବୁଝାସୁଝା ପରେ ସମସ୍ୟାର ସମାଧାନ ହୋଇଥିଲା । ଅଭିଭାବକ ଛାତ୍ରଛାତ୍ରୀ ମାନେ ଧାରଣା ପ୍ରତ୍ୟାହାର କରିଥିବା ବ୍ଲକ ଶିକ୍ଷାଅଧିକାରୀ କହିଛନ୍ତି ।

Comments (0)
Add Comment