ପାଟଣାଗଡ଼ : ପାଟଣାଗଡ ବ୍ଲକ ଛକ ଠାରେ ପ୍ରସ୍ତାବିତ ଥିବା ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆଜି ପାଟଣାଗଡ଼ ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି । ସ୍ଥାନୀୟ ବିଧାୟକ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ଅଭିଯୋଗରେ ଗତକାଲି ଧାରଣା ଦିଆଯାଇଥିବା ବେଳେ ଆଜି ବନ୍ଦ ପାଳନ କରାଯାଉଛି । ସକାଳ ୬ ରୁ ସଂଧ୍ୟା ୬ ପ୍ରର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦକୁ ସଫଳ କରିବା ପାଇଁ ହିନ୍ଦୁ ସମାଜର କର୍ମକର୍ତ୍ତା ବ୍ଲକ ଛକ ଠାରେ ବସି ପିକେଟିଂ ଆରମ୍ଭ କରିଛନ୍ତି ।
ଅନ୍ୟପଟେ ଏହି ବନ୍ଦକୁ ବଣିକ ସଂଘ ସମର୍ଥନ ଦେବନାହିଁ ବୋଲି ସଂଘର ସଭାପତି ରାଜେଶ କୁମାର ମେହେର କହିଛନ୍ତି । ରାତ୍ରି ରେ ବସିଥିବା ବଣିକ ସଂଘ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି ଏବଂ ଏଥିସହ ଦୋକାନ ବଜାର ଖୋଲିବା ନେଇ ମଧ୍ୟ ସଭାପତି ରାଜେଶ କୁମାର ମେହେର ପ୍ରକାଶ କରିଛନ୍ତି । ଆଜି ସକାଳ ୬ ଘଣ୍ଟାରୁ ବ୍ଳକ ଛକରେ ଚାଲିଥିବା ଧାରଣରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ନିଜ କର୍ମୀଙ୍କ ସହ ସମର୍ଥନ ଜଣାଇଥିଲେ । ପରେ ଅନିଲ ମେହେର ଓ କୋଶଳ ସମନ୍ୱୟ ସମିତିର ଆବାହକ ଶୁଶିଲ କୁମାର ଗୁରୁ , ସୁବାଷ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖଙ୍କ ସହ ବହୁ ହିନ୍ଦୁ ସମାଜ କର୍ମକର୍ତ୍ତା, ବଜରଙ୍ଗ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ ହୋଇଥିଲେ ।