ନୋ ଭେଣ୍ଡିଂ ଜୋନ୍‌ ହେବ ବଡଦାଣ୍ଡ

ପୁରୀ : ନୋ ଭେଣ୍ଡିଂ ଜୋନ୍‌ ହେବ ବଡଦାଣ୍ଡ । ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ହଟାଯାଇଛି ଉଠାଦୋକାନ । ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ୱ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍‌ କରାଯାଇ ଥଇଥାନ କରାଯିବ । ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ । ସେପଟେ ସରକାରଙ୍କ ଥଇଥାନ ନିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଠାଦୋକାନୀ । ବଡଦାଣ୍ଡ ଭଳି ବେପାର ସେଠାରେ ହେବନାହିଁ । ଏଣୁ ମାର୍କେଟ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉଠାଦୋକାନକୁ ଉଚ୍ଛେଦ କରାଯାଉ । ଆଉ ସଠିକ ଥଇଥାନ ଅବଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ଉଠାଦୋକାନୀ ସଂଘ । ସେପଟେ ସମସ୍ତଙ୍କ ସହମତିରେ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଣ୍ଟ୍ରାଲ ଏସି ଛାୟାପଥ ସେଡ୍‌ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍‌ ନିର୍ମାଣ ପାଇଁ ଆରମ୍ଭ ହେଉଛି ଲ୍ୟାଣ୍ଡ ସର୍ଭେ । ଡିଜାଇନ ଅନୁସାରେ ୮୪ମିଟର ଲମ୍ବାର ଏହି ଟନେଲ ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବ । ଏହି ଟନେଲ ଟି ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯିବ । ଓବିସିସି ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯିବ । ଡିସେମ୍ବର୨୫ ସୁଦ୍ଧା ଏହି କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାଦ୍ୱାରା ଭକ୍ତମାନେ ସୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି ।

Comments (0)
Add Comment