ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅମଲାଙ୍କ ଧାରଣା

ଖଡ଼ିଆଳ: ଅମଲା ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ବିରୋଧ କରି ଆଜି ଠାରୁ ସାମୁହିକ ଛୁଟିରେ ରହିଛନ୍ତି ଅମଲା ସଂଘ । ଫଳରେ ବିଭିନ୍ନ କାର୍ଯ୍ୟାଳୟର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏନେଇ ଆଜି ନୂଆପଡା ଜିଲାର ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ବ୍ଲକର ଅମଲା ଗଣ ଖଡ଼ିଆଳ ତହସିଲ ଅଫିସ ସାମନାରେ ଧାରଣାରେ ବସିଥିଲେ । ସେମାନଙ୍କ କହିବା ଅନୁଯାୟୀ ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘମାନଙ୍କ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି । କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳଶୂନ୍ୟ ହୋଇଅଛି । ଜିଲାସ୍ତରୀୟ ଅମଲାମାନେ ତୃଣମୂଳ ସ୍ତରରେ କାର୍ଯ୍ୟକରି ଜିଲାସ୍ତରରେ ବିଭିନ୍ନ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରିଥାନ୍ତି । କିନ୍ତୁ ସେମାନଙ୍କୁ ଆଶାନୁରୂପ ଦରମା ମିଳୁ ନଥିବା ଅଭିଯୋଗ କରି ଦରମା ବୃଦ୍ଧି ପାଇଁ ଦାବି କରାଯାଇଛି । ଏନେଇ ତା.୩୧.୦୫.୨୦୨୩ ମଧ୍ୟରେ ଦାବି ପୂରଣ ପାଇଁ ସେମାନେ ଦାବି କରିଥିଲେ ଓ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ ଜଣାଇଥିଲେ । କିନ୍ତୁ ସରକାର ସେମାନଙ୍କ ଦାବି ଶୁଣୁ ନଥିବା ଅଭିଯୋଗ କରିଛି ସଂଘ । ତେଣୁ ଆଜିଠାରୁ ସେମାନେ ଦାବି ପୂରଣ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି କହିଛନ୍ତି । ଆଜିର ଆନ୍ଦୋଳନରେ ଲବିରାମ ମାଝୀ, ଧ୍ୱନନ୍ତରାଇ ଚଲାନ, ଗୁପ୍ତେ ମାଝୀ, ରଞ୍ଜନ ଛତ୍ରିଆ, ଭଳଭଦ୍ର ମାଝୀ, ଦିନେଶ ଦାସ, ଶୋଭିତ ପଣ୍ଡା, ସରୋଜ ହୋତା, ମନୋଜ ଅଗସ୍ତି, ପୁଷ୍ପକେତୁ ମାଝୀ, ଅକ୍ଷୟ ଦାସ, ପୁଷ୍ପଲତା ମାଝୀ, ଗୁପ୍ତେଶ୍ୱର ବେହେରା, ସୌଭାଗ୍ୟ ପାଣିଗ୍ରାହୀ, ଅଶୋକ ପଣ୍ଡା, ଏମଡି କଲାମଙ୍କ ସମେତ ଶତାଧିକ ଅମଲା ସାମିଲ ଥିଲେ ।

Comments (0)
Add Comment