ଶୁଖିଲା ଡାଳ ହାଣୁଥିଲେ, ଗଛରୁ ପଡି ଯୁବକଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଯକ୍ଷ୍ୟ ବିଶୋଇଙ୍କ ପୁଅ ଲଙ୍କେଶ୍ୱର ବିଶୋଇ (୪୬)ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି ଏକ ଶୁଖିଯାଇଥିବା ଡାଳକୁ ହାଣୁଥିବା ସମୟରେ ଉକ୍ତ ଡାଳସହ ତଳେ ପଡି ମୃତ୍ୟୁ ବରଣ କରିଛନ୍ତି । ହାଣୁଥିବା ଶୁଖିଲା ବର ଡାଳଟି ଏକ ମୋଟା ଓ ବଡ଼ ଧରଣର ହୋଇଥିବା ଯୋଗୁଁ ତାହା ଲଙ୍କେଶ୍ୱରଙ୍କ ମୁଣ୍ଡ ଉପରେ ପଡିବାରୁ ମୁଣ୍ଡ ଫାଟିଯାଇ ଦହି ଅଲଗା ଛିଟିକି ପଡିଥିବାର ଦେଖିବାକୁ ମିଳିଛି । ଏଭଳି ଏକ ମର୍ମନ୍ତୁଦ ଦୁଃଖଦାୟକ ଘଟଣା କଇଁଝର ଗ୍ରାମରେ ପ୍ରଥମ ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ।
ମୃତ ଲଙ୍କେଶ୍ୱର ବିଶୋଇ ଜଣେ ଅମାୟିକ, ସରଳ ନିଷ୍କପଟ ବ୍ୟକ୍ତି ଥିଲେ । ଜଣେ ତାପୀ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବର୍ତ୍ତମାନ ତାଙ୍କର ପରିବାର କହିଲେ ସ୍ତ୍ରୀ ରିତା ବିଶୋଇ ବୟସ -୪୦, ଝିଅ ଆଶା ବିଶୋଇ ବୟସ -୨୧, ଓ ପୁଅ ରାକେଶ ବିଶୋଇ ବୟସ ୧୫ ବର୍ଷର ଅଛନ୍ତି । ଲଙ୍କେଶ୍ୱରଙ୍କ ମୃତ୍ୟୁ ପରେ ତାଙ୍କର ଅନାଥ ପରିବାର କେମିତି ଚଳିବେ ତାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଆପାତ୍ତକାଳୀନ ସହାୟତା ଟିକାବାଲି ତହସିଲଦାର ଓ ଜିଲ୍ଲା ପ୍ରଶାସନ ପ୍ରଦାନ କଲେ ଅନ୍ତତଃ ଲଙ୍କେଶ୍ୱରଙ୍କର ଅନ୍ତେଷ୍ଟି କ୍ରିୟା ସମାପନରେ ସହାୟକ ହେବ ବୋଲି ଗ୍ରାମବାସୀ ଜିଲ୍ଲାପାଳ କନ୍ଧମାଳଙ୍କ ନିକଟରେ ଅନୁରୋଧ କରିଛନ୍ତି । ଲଙ୍କେଶ୍ୱରଙ୍କ ମୃତ୍ୟୁରେ କଇଁଝର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment