ଆରମ୍ଭ ହେଲା ମଳ ମାସ, ପୂଜା ପାଇବେ ମଳ ନାରାୟଣ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମଳମାସ । ଏହା ଏକମାସ ଧରି ଚାଲୁରହିବ । ପ୍ରତି ୩୨ ମାସ ପରେ ମଳମାସ ପଡିଥାଏ । ଶ୍ରୀମନ୍ଦିର ଭିତରେ ମଳ ମାସରେ ପୂଜା ପାଆନ୍ତି ମଳ ନାରାୟଣ । ଅନ୍ୟ ସମସ୍ତ ଦିନ ଏହି ମନ୍ଦିର ତାଲା ପଡୁଥିବା ବେଳେ କେବଳ ମଳ ମାସରେ ଏହି ମନ୍ଦିର ତାଲା ଖୋଲିଥାଏ ।
ଆଜି ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଅଛି । ମଳ ମାସ ବା ପୁରୁଷୋତ୍ତମ ମାସ ହେଉଛି ଚାନ୍ଦ୍ରମାସ ଓ ସୌରମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ । ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏହି ମାସର ଅଧିପତି ତେଣୁ ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଇଥାଏ । ତେବେ ଆପଣ ଜାଣନ୍ତି କି ଶ୍ରୀମନ୍ଦିର ଭିତରେ ମା ବାଟ ମଙ୍ଗଳାଙ୍କ ଆଗ ସାମନାରେ ଶ୍ରୀ ବରାହ ପୁରୁଷୋତ୍ତମଙ୍କ ମନ୍ଦିର ରହିଅଛି, ଯାହାକି କେବଳ ମଳ ମାସରେ ହିଁ ସେହି ଠାକୁର ପୂଜା ପାଇଥାନ୍ତି ଓ ଅନ୍ୟ ସମସ୍ତ ଦିନ ସେହି ମନ୍ଦିର ବନ୍ଦ ରହିଥାଏ ।
ଏହି ମନ୍ଦିର ୧୧ ରୁ ୧୨ ଫୁଟର ଏକ ମନ୍ଦିର । ବର୍ଷସାରା ଏହି ମନ୍ଦିର ତାଲା ପଡି ରହିଥାଏ । ଯେମିତି ପ୍ରତ୍ୟେକ ମାସର ଥାଆନ୍ତି ଜଣେ ଜଣେ ଅଧିପତି,ଠିକ ସେଇଭଳି ମଳମାସର ଅଧିପତି ସ୍ୱୟଂ ଜଗନ୍ନାଥ ପୁରୁଷୋତ୍ତମ ରହିଥାନ୍ତି । ଏହି ମଳମାସ ସମୟରେ ପୂଜା ପାଇଥାନ୍ତି ବରାହ ପୁରୁଷୋତ୍ତମ । ମନ୍ଦିର ଭିତରେ ଥାଏ ଦୁଇଟି ମୂର୍ତ୍ତି । ଜଣେ ବରାହ, ଆଉ ଜଣେ ସ୍ୱୟଂନାରାୟଣ ପୁରୁଷୋତ୍ତମ । ନାରାୟଣ ପଦ୍ମଆସନରେ ବସିଥିବା ବେଳେ ଧରିଥାନ୍ତି ନିଜର ଆୟୁଧ ।ହେଲେ ବରାହ ସରସ୍ୱତୀଙ୍କୁ କହୁଣୀରେ ଓ ଲକ୍ଷ୍ମୀଙ୍କୁ ହାତରେ ଧରି ଚାଲିବା ମୁଦ୍ରାରେ ରହିଥାନ୍ତି । ଯାହା ଗବେଷଣା ସାପେକ୍ଷ । କାହିଁକିନା ଆଜି ପର୍ଯ୍ୟନ୍ତ ବରାହଙ୍କ ଏଭଳି ମୁଦ୍ରା ର ରହସ୍ୟ ଜଣାପଡିନାହିଁ । ତେବେ ମଳ ମାସର ଏହି ମାସଟିରେ ଏହି ଦୁଇ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀମନ୍ଦିର ସହ ଅନେକ ଏମିତି କଥା ଜଡିତ ହୋଇ ରହିଥିବା ବେଳେ ୩୨ ମାସରେ ମାତ୍ର ଗୋଟିଏ ମାସ ପୂଜା ପାଉଥିବା ଏହି ବରାହ ପୁରୁଷୋତ୍ତମ ଓ ମଳ ନାରାୟଣଙ୍କ ବିଷୟରେ ଶୁଣିବା ଯେତିକି ଆଶ୍ଚର୍ଯ୍ୟକର ସେତିକି ଭିନ୍ନ ଅନୁଭବ ଆଣିଦେଇଥାଏ ।

Comments (0)
Add Comment