ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ସହ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମାମଲାର ଦୁଇପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ ବିଭାଗର ସଚିବଙ୍କୁ ଏ ସଂକ୍ରାନ୍ତରେ ଜବାବ ତଲବ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କରିଥିଲେ,ତେବେ ତଦନ୍ତ ସରିଥିଲେ ମଧ୍ୟ ଏହାର ରିପୋର୍ଟ ସାର୍ବଜନୀନ ହୋଇନଥିଲା। ଫଳରେ ରତ୍ନଭଣ୍ଡାର ମରାମତି ହୋଇପାରୁନଥିବାବେଳେ ଭଣ୍ଡାରରେ କେତେ ରତ୍ନ ଅଛି ତାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇପାରୁନଥିଲା। ତାଙ୍କର ରିପୋର୍ଟ ସାର୍ବଜନୀନ କରାଯାଉ ଦାବି କରି ସାମାଜିକ କର୍ମୀ ଦିଲ୍ଲୀପ ବରାଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ଲଢ଼ୁଛନ୍ତି ।
ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।