ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥିରେ ୨୦୨୩ ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ରଥ ଖଳାରେ ଏହି ନୀତି ଅନୁଷ୍ଠିତ ହୋଇଛି ।
ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାପାଠ କରାଯାଇଛି । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିଥିଲେ । ପଞ୍ଚାମୃତ, ପୁଷ୍ପ, ନାରୀକେଳ ଓ ମହାପ୍ରଭୁଙ୍କ ମହା ପ୍ରସାଦ ଅର୍ପଣ କରାଯାଇ ତିନି କାଠକୁ ପୂଜା କରାଯାଇଛି । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ପୁରୀ ଜିଲାପାଳ, ଏସପିଙ୍କ ସମେତ ଅନେକ ବରିଷ୍ଠ ସେବାୟତ ଏହି ରଥ କାଠ ଅନୁକୂଳ ନୀତିରେ ଉପସ୍ଥିତ ରହି ପୂଜା ସରିବା ପରେ କାଠକୁ ମୁଣ୍ଡିଆ ମାରି ଚଳିତ ବର୍ଷ ରଥ ଯାତ୍ରା ଭଲରେ ହେଉ ବୋଲି ପ୍ରାର୍ଥନା କରିଥିଲେ । ରଥ କାଠ ଅନୁକୂଳ ନୀତି ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ହୋଇ ଥିଲା ପୂଜାସ୍ଥଳରେ । ଜୟ ଜଗନ୍ନାଥ ଧ୍ୱନି ରେ ବଡ ଦାଣ୍ଡ ପ୍ରକମ୍ପିତ ହୋଇ ଥିଲା । ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି । ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨୧ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ । ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ କାଠ ଟ୍ରକ୍ରେ ଆଗାମୀ ଦିନରେ ପୁରୀକୁ ଅଣାଯିବ । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ । ରଥ ଖଳାରେ ତିନି ରଥ ମହାରଣା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ରଥଯାତ୍ରା ବିନା ବାଧାରେ ଶାନ୍ତି ଶୃଙ୍ଖଳାରେ ହେବା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ଭକ୍ତ ଓ ସେବାୟତ ।