ଆସିଲା ସ୍ୱତନ୍ତ୍ର ଗାଇଡଲାଇନ, ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୭ ତାରିଖ ସୁଦ୍ଧା ରାଜ୍ୟର ଶିଶୁବାଟିକାରୁ ନେଇ ମାଟ୍ରିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ପୋଷାକର ଗୁଣାବତ୍ତା ଯାଞ୍ଚ ହେବ । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) । ଏଥିସହ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି କରାଯାଇଛି । ଚିଠିରେ ୟୁନିଫର୍ମ ପ୍ରସ୍ତୁତି, ବଣ୍ଟନ ନେଇ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବେ ସେନେଇ ସମସ୍ତ ନିୟମାବଳୀ ଉଲ୍ଲେଖ ରହିଛି ।

ଏଥରକ ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛି । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ତୁରନ୍ତ ଜିଲ୍ଲାସ୍ତରୀୟ କମିଟି ୟୁନିଫର୍ମ ବଣ୍ଟନ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ୟୁନିଫର୍ମ, ହାଉସଡ୍ରେସ୍, ଜୋତା, ମୌଜା ମିଳିବ । ସେହିପରି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟପତ୍ର ଓ ଟୋପି ଦିଆଯିବ । ପୂର୍ବରୁ ପୋଷାକ ତିଆରି ଦାୟିତ୍ୱରେ ଥିବା ମହିଳା ଏସଏଚଜି, ଏମଏସଇ, ଏସଏମସି, ଏସଏମଡିସି, ଭିଏମଡିସିଙ୍କୁ ପରିବର୍ତ୍ତନ କରାଯିବନି । ଜିଲ୍ଲାସ୍ତରୀୟ କମିଟି ପୋଷାକ ବଣ୍ଟନ କାମ ତଦାରଖ କରିବେ ।

୨୦୨୬-୨୭ରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ । ସେଥିରେ ଛାତ୍ର, ଛାତ୍ରୀଙ୍କ ନାଁ ଅଲଗା କରି ସେହି ଅନୁସାରେ ପୋଷାକ ବଣ୍ଟନ କରିବେ । ୧୦ ତାରିଖ ସୁଦ୍ଧା ସମସ୍ତ ସ୍କୁଲର ତଥ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚିବ । ୧୨ ତାରିଖ ସୁଦ୍ଧା ସମସ୍ତ ପୋଷାକ ପ୍ରସ୍ତୁତି ଦାୟିତ୍ୱରେ ଥିବା ସଂସ୍ଥାର ୱାର୍କଅର୍ଡରକୁ ସମୀକ୍ଷା କରାଯିବ । ୨୭ ସୁଦ୍ଧା ପୋଷାକ ବଣ୍ଟନ, ୩୦ ସୁଦ୍ଧା ପୋଷାକର ଗୁଣବତ୍ତା ଯାଞ୍ଚ, ମଇ ୨ ତାରିଖ ସୁଦ୍ଧା ପୋଷାକ ବଣ୍ଟନ ସରିବା ସହ ଏହାର ସବିଶେଷ ରିପୋର୍ଟ ଓସେପା ଅଫିସରେ ଦିଆଯିବାକୁ ନିର୍ଦ୍ଦେଶ ରହିଛି ।

Comments (0)
Add Comment