ହୀରାକୁଦରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ, ତଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଫଳରେ ବର୍ତ୍ତମାନ ମୋଟ ୧୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି।

ସଦ୍ୟତମ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟ୍ ରେ ପହଞ୍ଚିଛି। ଉପରମୁଣ୍ଡରେ ଲଗାତାର ବର୍ଷା ହେବାରୁ ପ୍ରତି ସେକେଣ୍ଡରେ ପ୍ରାୟ ୩ ଲକ୍ଷ ୧୪ ହଜାର ୨୩୮ କ୍ୟୁସେକ୍ ଜଳ ଡ୍ୟାମକୁ ପ୍ରବେଶ କରୁଛି। ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରାୟ ୩ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି।

ଜଳପ୍ରବାହ ବୃଦ୍ଧି ପାଇବା ସହିତ ତଳମୁଣ୍ଡ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ମହାନଦୀ କୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନକୁ ସଜାଗ ରହିବା ସହ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଉପରମୁଣ୍ଡର ବର୍ଷା ଓ ଜଳପ୍ରବାହର ସ୍ଥିତିକୁ ଲକ୍ଷ୍ୟ କରି ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍ ଖୋଲାଯିବ କିମ୍ବା ବନ୍ଦ କରାଯିବ। ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଲୋକମାନଙ୍କୁ ଗୁଜବରେ ବିଶ୍ୱାସ ନ କରି ସରକାରୀ ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି। ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ତଳମୁଣ୍ଡ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ପ୍ରଶାସନ ସତର୍କ ରହିଛି।

Comments (0)
Add Comment