ବାଲ୍ୟବିବାହ ବନ୍ଦକଲା ଚାଇଲ୍ଡ ଲାଇନ୍‌

ଦଶପଲ୍ଲା : ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ଗ୍ରାମାଞ୍ଚଳରେ ସଚେତନାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଥିବା ବେଳେ ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ପାଇଁ ଏହି ନିୟମ ଫଳପ୍ରଦ ହୋଇପାରୁ ନାହିଁ । ଗାଁ ଗାଁରେ ଚାଲିଛି ବାଲ୍ୟ ବିବାହ ଏହାକୁ ନେଇ ଦଶପଲ୍ଲା ଅଞ୍ଚଳରୁ ୨ ଦିନରେ ୩ଟି ବାଲ୍ୟବିବାହ ବନ୍ଦ କରିବାରେ ସକ୍ଷମ ହୋଇଛି ଚାଇଲ୍ଡ ଲାଇନ୍‌ । ସୂଚନା ଅନୁଯାୟୀ ତେଣ୍ଡାବାଡ଼ି ପଞ୍ଚାୟତ ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କର ମଧ୍ୟଖଣ୍ଡ ଗ୍ରାମରେ ବିବାହ ସ୍ଥିର ହୋଇଥିଲା । ସେହିଭଳି ସେହି ପଞ୍ଚାୟତର ଅନ୍ୟ ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ଭୋଗବାଡ଼ି ଗ୍ରାମରେ ବିବାହ ସ୍ଥିର ହୋଇଥିବା ବେଳେ ସରିଗଣ୍ଡା ପଞ୍ଚାୟତ ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ନେଳିଗୁଡ଼ା ଗ୍ରାମରେ ବିବାହ ସ୍ଥିର ହୋଇଥିଲା । ଏସବୁ ବିବାହ ଆସନ୍ତା ୧୦ ତାରିଖ ଦିନ ହୋଇଥାନ୍ତା । ବିବାହ ପାଇଁ ଉଭୟ ଝିଅ ଓ ପୁଅ ଘର ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା । ଖବରପାଇ ଚାଇଲ୍ଡ ଲାଇନ୍‌ ସଦସ୍ୟ ଚନ୍ଦ୍ରଶେଖର ବେହେରା, ସୁଜାତା ବେହେରା, ବିଭୂତି ବେହେରା ବାଲ୍ୟବିବାହ ନିଷେଧ ଅଧିକାରୀ ପଦ୍ମାଳୟା ଶତପଥୀ ଓ ଅନିତା ବେହେରା ପ୍ରମୁଖ ପୁଲିସ୍‌ ନେଇ ସେଠାରେ ପହଞ୍ଚିଥିଲେ । ୩ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଛି ।

Comments (0)
Add Comment