ସ୍ଥଗିତ ଥିବା ୭୫ ବୁଥ୍‌ରେ ୨୫ରେ ହେବ ସାନି ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜିକୁ ମିଶାଇ ୪ର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷ ହୋଇଛି । ତେବେ ଏହା ଭିତରେ ପୂର୍ବ ୩ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟ ଗ୍ରହଣ ବେଳେ ମତଦାନ କେନ୍ଦ୍ରରେ ବ୍ୟାପକ ହିଂସା, ବୁଥ ଜବରଦଖଲ, ଭୋଟ ବାକ୍ସ ଫିଙ୍ଗିବା, ବାଲାଟରେ ତ୍ରୁଟି ଓ ଭୋଟ ତାଲିକାରେ ନାଁ ନଥିବା ଭଳି ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସାନି ମତଦାନ ପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶ ଆଧାରରେ ରାଜ୍ୟ ନିର୍ବାଚନ ଆୟୋଗ ପାଖାପାଖି ୭୫ଟି ବୁଥ୍‌ରେ ଆସନ୍ତା ୨୫ ତାରିଖ ଦିନ ସାନି ମତଦାନ ବା ରିପୋଲିଂ ପାଇଁ ଘୋଷଣା କରିଛନ୍ତି । ଏସମ୍ପର୍କରେ ଆଜି ନିର୍ବାଚନ ଆୟୋଗଙ୍କ ସଚିବ ରବିନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କେନ୍ଦ୍ରରେ ବିଭ୍ରାଟ ପାଇଁ ୪୫ଟି ବୁଥ୍‌ରେ ଓ ଗତକାଲି ୩ୟ ପର୍ଯ୍ୟାୟରେ ମତଦାନ ବେଳେ ୩୦ଟି ବୁଥ୍‌ରେ ମତଦାନରେ ବିଭ୍ରାଟ ହୋଇଥିବା ଖବର ମିଳିବାରୁ ୩ୟ ପର୍ଯ୍ୟାୟର ଭୋଟ ୭୫ଟି ବୁଥ୍‌ରେ ପୁଣି ଥରେ ମତଦାନ ନିଆଯିବ । ଆଜି ୪ର୍ଥ ପର୍ଯ୍ୟାୟରେ ସେଭଳି କୌଣସି ହିଂସାକାଣ୍ଡ ଘଟିଥିବାର ସୂଚନା ନାହିଁ । ଯଦି କୌଣସି ଠାରେ ଏଭଳି ସୂଚନା ଆସେ ତେବେ ସେଥିପାଇଁ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପୁଣି ମତଦାନ ନିଆଯାଇ ପାରେ ।

Comments (0)
Add Comment