ସୁବର୍ଣ୍ଣପୁର : ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରୁ ଲଢ଼ି ବିଧାୟକ ଭାବରେ ସେ ନିର୍ବାଚିତ ହୋଇ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ଥିଲେ । ଏପରିକି ଶକ୍ତି ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ରିପୁନାଥ ସେଠଙ୍କ ବିୟୋଗରେ ଆଜି ପୂର୍ବାହ୍ନ ସମୟରେ ସୋନପୁର ସ୍ଥିତ କସ୍ତୁରୀ ହୋଟେଲ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଂଯୋଜକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକ ସଭାରେ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ରଞ୍ଜିତ ରାୟ, ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର, ବ୍ରଜବିହାରୀ ନାୟକ, ଶେଷ ଦେବ ମେହେର, ସଚ୍ଚିଦାନନ୍ଦ ସାହୁ, ବାବୁଲୁ କୁମ୍ଭାର, ଶିଶିର ମେହେର, ଭରତ ଜେନା, ରାଜେଶ ମିଶ୍ର, ମହମ୍ମଦ ଇମ୍ରାନ, ତରଣୀ ବାରିକ ପ୍ରମୁଖ ଯୋଗ ଦେଇ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରି ଦିବଂଗତ ନେତାଙ୍କ ସ୍ମୃତିଚାରଣ କରିଥିଲେ ।