ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ, ବାଇକ ଉଦ୍ଧାର

ଘୁ ଉଦୟଗିରି: କିଛି ଦିନ ନୀରବ ପରେ ପୁଣି ବାଇକ୍‌ ଲୁଟେରା ମାତିଲେ ଘୁ.ଉଦୟଗିରି ଅଞ୍ଚଳରେ । ହେଲେ ବାଇକ ଚୋରି କରିବା ପର ଦିନ ହିଁ ଧରାପଡିଗଲେ । ଗତ କିଛି ମାସ ତଳେ ଘୁ ଉଦୟଗିରି କଚେରି ସାହିରୁ ରାତିରେ ଲୁଟେରା ବାଇକ୍‌ ଚୋରି କରି ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବାଇକ ଉଦ୍ଧାର ହେବା ସହ ବାଇକ ଲୁଟେରା ଧରାପଡି ଜେଲ ଯାଇଥିିଲେ । ପୁୁଣି ବାଇକ ଲୁଟେରା ଗତ ୨୨ ରିଖ ଦିନ ଦିନ ଦ୍ୱିପହରେ ଲୁଟ କରିଛନ୍ତି ବାଇକ୍‌ । ସୂଚନା ଅନୁସାରେ ଘୁ ଉଦୟଗିରି ନିବାସୀ ପ୍ରଦେଶ ନାୟକ ଗତ ୨୨ ତାରିଖ ଦିନ ନିଜ ଭାଣିଜୀର ବିବାହ କାର୍ଯ୍ୟକ୍ରମରେ ଆସିକା ଯିବା ପାଇଁ କଳିଙ୍ଗା ପାଙ୍ଗାସାହି ସ୍ଥିତ ନିରଞ୍ଜନ ପ୍ରଧାନଙ୍କ ଘରେ ଓଡି ୧୨ ୧୧୪୨ ସୁପର ସ୍ପେଲେଣ୍ଡର ନାମକ ବାଇକ୍‌ ରଖି ଗାଡ଼ିରେ ହେଲମେଟ ତାଙ୍କ ଘରେ ଦେଇ ଯାଇଥିଲେ । ଭୋଜି ସାରି ଫେରି ଆସି ଦେଖିଲାବେଳକୁ ବାଇକ୍‌ ରଖିଥିବା ସ୍ଥାନରେ ନ ଥିଲା । ନିରଞ୍ଜନ ପ୍ରଧାନଙ୍କ ସ୍ତ୍ରୀଙ୍କୁ ପଚାରି ବୁଝିବା ପରେ ସେ ଦେଖି ନ ଥିବା କହି କେବଳ ହେଲମେଟ ଫେରାଇ ଦେଲେ । ସେ ବହୁ ଖୋଜାଖୋଜି ପରେ କୌଣସି ସ୍ଥାନରେ ନ ପାଇବାରୁ ନିରାଶରେ ଫେରିଲେ । ପରଦିନ ସେ ଏକ ଅଟୋ ଯୋଗେ ନିଜ ବାଇକ୍‌ ଖୋଜିବା ପାଇଁ ଯାଉଥିବା ବେଳେ ହାତୀଶାଳ ନିକଟ ମାଂସ ଦୋକାନ ପାଖରେ କଟଡଗଣ୍ଡା ଗ୍ରାମର ଟୁନୁ ପ୍ରଧାନ ପାଖରେ ବାଇକ୍‌ ଦେଖି ତାଙ୍କୁ ପଚାରିବାରୁ,ମୁଁ ୧୦ହଜାର ଟଙ୍କା ଦେଇ ଏହି ବାଇକ କିଣିଛି ବୋଲି କହିଥିଲେ । ପରେ ତାଙ୍କୁ ଘୁ ଉଦୟଗିରି ଥାନାକୁ ନେଇ ହସ୍ତାନ୍ତରିତ କରିବା ସହିତ ଘୁ ଉଦୟଗିରି ଥାନା କେସ ନମ୍ବର ୩୮/୨୨ ପଞ୍ଜିକରଣ କରି ଥାନା ଏଏସଆଇ ଲଷ୍ମୀଧର ନାୟକଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିବା ଥାନା ଆଇଆଇସି ସୂଚନା ପ୍ରଦାନ କରିଛନ୍ତି । ତଦନ୍ତ ପରେ ୨ଜଣଙ୍କୁ ଗିରଫ କରିଥିବା ଥାନା ପକ୍ଷରୁ ସୂଚନା ରହିଛି । ଗିରଫ ବ୍ୟକ୍ତିମାନେ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ କଟଡ଼ଗାଣ୍ଡା ଗ୍ରାମର ଟୁନା ଏଲିଆସ ସୁଦାମ ପ୍ରଧାନ(୩୮)ଏବଂ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିରମ୍ଭାର ବୁର୍ବୀ ସାହିର ଗଣେଶ କଁହର । ଉଭୟଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବାଇକ ଚୋରିରେ ବ୍ୟବହୃତ ମାଷ୍ଟର କିକୁ ଜବତ କରିବା ସହ ଧାରା ୩୭୯ରେ କୋର୍ଟ ଚାଲାଣ କରିଛନ୍ତି ।

Comments (0)
Add Comment