ମଦୁଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ପୁଲିସ ଅଭିଯାନ, ୯୨ ଗିରଫ

ସମ୍ବଲପୁର : ମାଦକ ଦ୍ରବ୍ୟ ସେବନ କରି ଓ ବିଶେଷକରି ମଦ ପିଇ ଗାଡ଼ି ଚଳାଉଥିବାରୁ ସର୍ବାଧିକ ୪୨ ପ୍ରତିଶତ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ହେଉଛି । ଏହି ତଥ୍ୟକୁ ଗମ୍ଭୀରତା ସହିତ ଗ୍ରହଣ କରି ଗତକାଲି ରାତିରେ ସମ୍ବଲପୁର ପୁଲିସ ପକ୍ଷରୁ ଏକ ଧରପକଡ ଅଭିଯାନ କରାଯାଇଥିଲା । ଏ ବାବଦରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହି ଅଭିଯାନ ଫଳରେ ମୋଟ ୯୨ ଜଣ ଚାଳକଙ୍କୁ ନିଶାସକ୍ତ ଅବସ୍ଥାରେ ବାହନ ଚଳାଉଥିବା ଅଭିଯୋଗରେ ଗିରଫ କରିବା ସହ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହା ସହିତ ଏହି ସନ୍ଦର୍ଭରେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ଉପଯୁକ୍ତ ଅଧିକାରୀଙ୍କ ପାଖକୁ ଲିଖିତ ରୂପେ ଅନୁମୋଦନ କରାଯାଇଛି । ନିଶାସକ୍ତ ଅବସ୍ଥାରେ ଏହିପରି ବେପରୁଆ ଗାଡ଼ି ଚଳାଉଥିବାରୁ ସେମାନେ ନିଜ ସହିତ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି ବୋଲି ଏହି ସୂଚନାରେ କୁହାଯାଇଛି ।

Comments (0)
Add Comment