ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଚଳିତ ଶିକ୍ଷାବର୍ଷର ବିଦ୍ୟାଳୟସ୍ତରୀୟ “ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତି ତୀର୍ଥବାସୀ ଘଡେଇ ଓ ବାଲିଗୁଡା ଉପଖଣ୍ଡର ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ
ପ୍ରଦୀପ କୁମାର ବାଗ ଉପସ୍ଥିତ ରହି ଦୀପପ୍ରଜ୍ବଳନ କରି ଶିକ୍ଷାବର୍ଷର ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଆଗେନେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ଉପସ୍ଥିତ ଅତିଥି ଗଣଙ୍କ ପରିଚୟ ପ୍ରଦାନ କରିବା ସହିତ ମେଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ପ୍ରଦୀପ କୁମାର ବାଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନିଆରା ଶିକ୍ଷା ପଦ୍ଧତିକୁ ପ୍ରଶଂସା କରିବାସହ ଆଜିର ପ୍ରତିଯୋଗିତା ମୂଳକ ସମାଜରେ ବିଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଆମର ସହଭାଗିତା ସମ୍ପର୍କରେ ଅବଗତ କରାଇଥିଲେ ।
ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଉକ୍ତ ମେଳାରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ,ବୈଦିକ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା ଓ ତତ୍କାଳ ଭାଷଣ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ଗୁଡିକରେ ପ୍ରାୟ ୩୦୦ ଶିଶୁ ଅଂଶଗ୍ରହଣ
କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣାଙ୍କ ତତ୍ତ୍ବାବଧାନରେ ସମସ୍ତ ଗୁରୁଜୀ ଗୁରୁମା ଅତ୍ୟନ୍ତ ସନ୍ତର୍ପଣରେ କାର୍ଯ୍ୟ ପରିଚାଳନା କରିଥିଲେ । ଅପରାହ୍ନ ୪ ଘଟିକାରେ ସମାରୋପ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଏଚ୍. ଡି. ଏଫ୍.ସି ବ୍ୟାଙ୍କର ଶାଖା ପ୍ରବନ୍ଧକ ମୁଖ୍ୟ ଅତିଥି
ରୂପେ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଶେଷରେ ଶାନ୍ତି ମନ୍ତ୍ର ତଥା ବନ୍ଦେ ମାତରଂ ଗାନକରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।