ହାଇୱା ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

ଫୁଲବାଣୀ ୬/୫ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗୁଡ୍ରିଗାଁ ଠାରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ଗୁଡାରୀ ସାହିର ଯକ୍ଷ (ପାକଲି) ମୂଖୀ । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବୀରେ ଲୋକମାନେ ରାସ୍ତାରୋକ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଗୁଡାରୀ ସାହିର ଯକ୍ଷ୍ୟ (ପାକିଲି) ମୂଖୀ କୌଣସି କାମରେ ଶଙ୍କରାଖୋଲ ଯାଇ ଫେରୁଥିଲେ। ଏହି ସମୟରେ ବ୍ରହ୍ମପୁର ପଟୁ ଦ୍ରୁତଗତିରେ ଫୁଲବାଣୀ ଆଡକୁ ଯାଉଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା l ଏହାର ପ୍ରତିବାଦରେ ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ ବିଜୟବାଡା- ରାଞ୍ଚି କରିଡର ଅବରୋଧ କରିଥିଲେ। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଲୋକେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ ଧରିଥିଲେ l
ଖବର ପାଇ ଟିକାବାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ମଧ୍ୟ ହଟି ନଥିଲେ । ସଙ୍ଗେ ସଙ୍ଗେ ଚକାପାଦ ବ୍ଲକର ତହସିଲଦାର ରାକେଶ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବ ସଂସ୍କାର ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିବା ପରେ ରାସ୍ତାରୁ ହଟିଥିଲେ l ପୋଲିସ ହାଇୱାକୁ ଜବତ କରିବା ସହ ଏନେଇ ଟିକାବାଲି ଥାନାରେ ୮୬/୨୫ ରେ ମାମଲା ରଜୁ କରିବା ସହ ଶବ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି l

Comments (0)
Add Comment