ଲଗାଣ ବର୍ଷାରେ ହାତିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବେହାଲ

ଘୁ ଉଦୟଗିରି: ଏକ ଶହ ବର୍ଷରୁ ଉଦ୍ଧ୍ୱର୍ ଏକ ପୁରାତନ ବିଦ୍ୟାଳୟ ହେଉଛି ଘୁ.ଉଦୟଗିରି ସହରର ମଧ୍ୟଭାଗରେ ରାଜ୍ୟ ରାଜପଥ କଡରେ ଥିବା ହାତିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କହିଲେ ନ ସରେ । ଆଜି ଲଗାଣ ବର୍ଷାରେ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳଘେରି ଭିତରେ ରହିଥିବା ବେଳେ ବର୍ଷା ଜଳ ଶ୍ରେଣୀ ଗୃହରେ ପଶିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ରାଜପଥ କଡରେ ଥିବା ଡ୍ରେନର ପାଣି ମଧ୍ୟ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାରେ ଲାଗିଛି । ଡ୍ରେନ ବର୍ଷା ଜଳରେ ଭର୍ତ୍ତି ହୋଇରହିଥିବା ବେଳେ ବିଦ୍ୟାଳୟ ସମ୍ପୂର୍ଣ୍ଣ ପରିସର ଜଳମୟ । ଏହି ବିଦ୍ୟାଳୟ ପରିସରରେ ରହିଛି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ସହରର ଶହଶହ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପଢ଼ୁଥିବା ବେଳେ ବର୍ଷାରେ ବିଦ୍ୟାଳୟର ଅବସ୍ଥା ଯାହା ଦେଖିଲେ ସହଜରେ ଅନୁମାନ କରିହେବ ସରକାରୀ ବିଦ୍ୟାଳୟରେ ସରକାରୀ ଯୋଜନା ଏବଂ ତା’ର ରକ୍ଷଣାବେକ୍ଷଣ କିଭଳି ନିଆଯାଉଛି । ଅନ୍ୟ ପଟେ ସହରର ବିଦ୍ୟାଳୟର ଯଦି ଏହିଭଳି ଅବସ୍ଥା ତାହାହେଲେ ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟମାନଙ୍କର ଅବସ୍ଥା କ’ଣ ଥିବ ସହଜରେ ଅନୁମାନ କରିହେବ । ଆଜି ହାତିଶାଳ ବିଦ୍ୟାଳୟ ପରିସରକୁ ଯିବା ଏବଂ ଆସିବା କଷ୍ଟସାଧ୍ୟ ଥିଲା । ଛୋଟ ଛୋଟ କୁନି କୁନି ପୁଅ ଝିଅ ମାନେ ହାତରେ ସ୍କୁଲ ବ୍ୟାଗ ହାତରେ ଛତା ଧରି କିଭଳି ସ୍କୁଲକୁ କଷ୍ଟରେ ଯାଉଛନ୍ତି ଏବଂ ଫେରିଛନ୍ତି ସେଇ କଥା ଅଭିଭାବକ ମାନେ ଜାଣନ୍ତି । ଆଜି ବିଦ୍ୟାଳୟରେ ଏହିଭଳି ଦୃଶ୍ୟ ଦେଖି ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ଅଭିଭାବକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି ।

Comments (0)
Add Comment