ବୌଦ୍ଧ :- ଆଜି ବୌଦ୍ଧ କାରାଗାରର ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବୌଦ୍ଧ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମର ସୁଜନ ବେହେରା ନାମକ ୩୦ ବର୍ଷୀୟ କଏଦୀ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଆଜି ଦିନ ପ୍ରାୟ ଗୋଟାଏ ବେଳେ ଉକ୍ତ କଏଦୀ ଜଣକ କାରାଗାରର ଶୌଚାଳୟ ଭିତରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ କାରାଗାରର ଗାର୍ଡମାନେ ଜାଣିପାରି ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସମ୍ପୃକ୍ତ କଏଦୀ ଜଣକ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ପୋକସୋ ଆଇନ ଅନୁସାରେ ବିଚାରଧୀନ କଏଦୀ ଭାବେ ଗତ ତିନି ବର୍ଷ ହେଲା ବୌଦ୍ଧ କାରାଗାରରେ ରହି ଆସୁଥିଲା । ବର୍ତ୍ତମାନ କଏଦୀ ଜଣକ ଚିକିତ୍ସାଧୀନ ଥିବାବେଳେ, କେଉଁ ପରିସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରୁଥିଲା ସେ ନେଇ ତଦନ୍ତ ଚାଲିଛି ବୋଲି କାରାଗାର ଉପ ଅଧିକ୍ଷକ ଟୁନା ମଲ୍ଲିକ ପ୍ରକାଶ କରିଛନ୍ତି ।