ବୋଲଗଡ ପାସେଞ୍ଜର ହଲ୍ଟ ହେଲା, ସବୁଦିନିଆ ରେଳ ଷ୍ଟେସନ

ଦଶପଲ୍ଲା : ପଶ୍ଚିମ ଓଡିଶାର ଜୀବନରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳପଥ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଏକ ସୁଦୂର ପ୍ରସାରୀ ଯୋଜନା ତଥା ଐତିହାସିକ ପଦକ୍ଷେପ । ଏହି ପ୍ରକଳ୍ପ ତ୍ୱରାନ୍ୱିତ କରି କେନ୍ଦ୍ର ସରକାର ପଶ୍ଚିମ ଓଡିଶାବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୋଲଗଡ଼ ସଦର ମହକୁମା ଠାରେ ରେଳ ବିଭାଗ ପକ୍ଷରୁ ଏକ ପାସେଞ୍ଜର ହଲଟ୍‌ (ଷ୍ଟେସନ) ନିର୍ମାଣ କରାଯାଇଥିଲା । ବୋଲଗଡ ଏକ ବ୍ଲକ୍‌ ହୋଇଥିବାବେଳେ, ଏଠାରେ ବ୍ଲକ୍‌ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ସିଏଚ୍‌ସି (ମେଡିକାଲ) ୨ଟି ଜାତୀୟ କରଣ ବ୍ୟାଙ୍କ, ମହାବିଦ୍ୟାଳୟ, ୨ଟି ହାଇସ୍କୁଲ, ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ, କୃଷି ବିଭାଗ, ବିଦ୍ୟୁତ୍‌ କାର୍ଯ୍ୟାଳୟ, ପଶୁ ସମ୍ପଦ ମେଡିକାଲ ସହ ବନ ବିଭାଗ ଆଦି କାର୍ଯ୍ୟ କରୁଛି । ଏଠାରୁ ପ୍ରତିଦିନ ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କ ସମେତ ଅନେକ ଯାତ୍ରୀ ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା, ରାଜ୍ୟ ରାଜଧାନୀ ଭୁବନେଶ୍ୱର, ତୀର୍ଥ ଧାମ ପୁରୀ ସହିତ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଥାନ୍ତି । ଅଦ୍ୟପି ପ୍ରତିଦିନ ଏହି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ସେବା ଏକ୍ସପ୍ରେସ ନୟାଗଡ଼ରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ନୟାଗଡ଼ ଯାତାୟତ କରୁଥିଲେ ହେଁ ଏଠାରେ ନିର୍ମାଣ ହୋଇଥିବା ପାସେଞ୍ଜର ହଲଟ୍‌ ହେତୁ ସମ୍ପୃକ୍ତ ଟ୍ରେନ୍‌ ରହଣୀ କରୁନାହିଁ । ଫଳରେ ସବୁବର୍ଗର ଯାତ୍ରୀମାନେ ରେଳଯାତ୍ରାରୁ ବଞ୍ଚିତ ହେଉଛନ୍ତି । ଏହି ଅସୁବିଧା ସମ୍ପର୍କରେ ଅଞ୍ଚଳବାସୀଙ୍କ ପକ୍ଷରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅବଗତ କରାଯାଇଥିଲା । ମାତ୍ର ଖୁସିର ବିଷୟ ନିକଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସିବା ସମୟରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ବୋଲଗଡ଼ରେ ଥିବା ପାସେଞ୍ଜର ହଲକୁ ରେଳ ଷ୍ଟେସନରେ ପରିଣତ କରିବାକୁ ଘୋଷଣା କରିଛନ୍ତି । ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରଚାରିତ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା । ତେଣୁ ଏହି ପରିପ୍ରେକ୍ଷୀରେ ପାସେଞ୍ଜର ହଲକୁ ସ୍ଥାୟୀ ରେଳ ଷ୍ଟେସନ୍‌ ଘୋଷଣାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଏହାକୁ ଯଥାଶୀଘ୍ର କାର୍ଯକାରୀ କରାଇବାକୁ ନିବେଦନ କରିଛନ୍ତି ।

Comments (0)
Add Comment