ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଜୁଲାଇ ମାସର ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସପ୍ତାହେ ଭିତରେ ବିଦ୍ୟାଳୟର ନୂତନ ଖୋଲା ହୋଇଥିବା ଜମା ଖାତାରୁ ସମସ୍ତ ବିଦ୍ୟାଳୟ ୫୦୦ଟଙ୍କା ଟ୍ରାନ୍ଜେକ୍ସନ କରିବା, ସିଆରସିସିମାନେ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରିବେ,ଶିକ୍ଷକ ଓ ଛାତ୍ର ଉପସ୍ଥାନ ଦେଖିବେ, ଦୈନିକ ଉପସ୍ଥାନ ପଠାଇବେ ଶିକ୍ଷଣ ଶିକ୍ଷାଦାନକୁ ତଦାରଖ କରିବେ, ଘରୋଇ ବ୍ୟକ୍ତିଙ୍କ ନାମରେ ଥିବା ଜମି ପଟ୍ଟା ବିଦ୍ୟାଳୟ ନାମରେ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ସଭା ମାଧ୍ୟମରେ ପଦକ୍ଷେପ ନେବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଡ. ମାଝୀ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ବୃନ୍ଦାବନ ସାହୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଲୋଚନା କରି ଜିଲ୍ଲାର ଶିକ୍ଷଣ ଉପଲବ୍ଧି ସ୍ତରକୁ ବୃଦ୍ଧି କରିବା ସକାଶେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଇନଷ୍ପାୟାର ଆୱାର୍ଡ ପାଇଁ ଷଷ୍ଠରୁ ଦଶମ ଶ୍ରେଣୀ ପିଲାମାନେ ନାମ ପଞ୍ଜିକରଣ କରବେ ବୋଲି ସୂଚନା ଦେଇଥିଲେ । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ପିଲାଙ୍କୁ ଶିକ୍ଷାଦନ ପୂର୍ବରୁ ସେମାନଙ୍କ ମାନସିକ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଥିଲେ । ସନ୍ତୋଷ କୁମାର ସ୍ୱାଇଁ, ଦେବାଶିଷ ଦ୍ୱାରୀ, ଶିବଶଙ୍କର ଶତପଥୀ ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ମୂଳସ୍ରୋତରେ ସାମିଲ କରିବା, ମୋ ସ୍କୁଲ ଅଭିଯାନ, ସିଆରସିସିଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭାଗୀୟ ସଂଯୋଜକ ଓ ସିଆରସିସିମାନେ ଉପସ୍ଥିତ ଥିଲେ ।