ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ

ପୁରୀ : ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । କେବଳ ସିଂହଦ୍ୱାର ନୁହେଁ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ବଡ଼ଦାଣ୍ଡରେ ଭକ୍ତ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଏହାକୁ ହ୍ରାସ କରିବା ଏବଂ ରଥ ନିର୍ମାଣ କାର୍ଯ୍ୟ, ଚନ୍ଦନଯାତ୍ରା ପାଇଁ ବଡ଼ ଦାଣ୍ଡରେ ଠାକୁରଙ୍କ ବିମାନ ସୁରୁଖୁରୁରେ ଯିବା ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଆସନ୍ତା ରଥଯାତ୍ର ପର୍ଯ୍ୟନ୍ତ ଭକ୍ତ ମାନେ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି ।
ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ଏବଂ ସେଡ ନିର୍ମାଣ ସହ ଜୋତା ଷ୍ଟାଣ୍ଡ, ପାନୀୟ ଜଳ ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଭକ୍ତ ଓ ସେବାୟତ ମାନେ ସ୍ୱାଗତ କରିଛନ୍ତି ।
ସେପଟେ ଆସନ୍ତା ମେ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବାୟତ ମାନେ ରଥ ଚାଳି ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ସେହିପରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଥିବାରୁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ଶ୍ରୀମନ୍ଦିର ପାରମ୍ପରିକ ଚିତ୍ରକର ସେବକ ମାନେ ମନ୍ଦିରର ଜଗମୋହନ ସହ ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରଙ୍ଗ ଦେବା କାର୍ଯ୍ୟ କରୁଛନ୍ତି । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ତେବେ କୋଭିଡ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ଭକ୍ତ ମାନେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Comments (0)
Add Comment