ସୁଭଦ୍ରା ଭଉଣୀମାନଙ୍କ ସହ ଆଭାଷୀ ମାଧ୍ୟମରେ ସିଧାସଳଖ କଥା ହେଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର:ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ (ସୁଭଦ୍ରା ହିତାଧିକାରୀ)ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମସ୍ତ ଜିଲ୍ଲାର ସୁଭଦ୍ରା ଭଉଣୀମାନଙ୍କ ସହ ଆଭାସୀ ମାଧ୍ୟମରେ କଥା ହୋଇ ସୁଭଦ୍ରା ସହାୟତାର ବ୍ୟବହାର ସମ୍ବନ୍ଧରେ ଆଲୋଚନା କରିଥିଲେ । ସୁଭଦ୍ରା ଭଉଣୀମାନଙ୍କ ପାଇଁ ଗାଁ ଅର୍ଥନୀତି ଓ ଗାଁ ରେ ଡିଜିଟାଲାଇଜେସନ ସୁଦୃଢ ହୋଇପାରୁଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ବ୍ୟକ୍ତ କରିଥିଲେ । ଓଡ଼ିଶାର ମହିଳାମାନେ ପରସ୍ପରକୁ ସାହାଯ୍ୟ କରି ଏକ ଶୃଙ୍ଖଳ ମାଧ୍ୟମରେ ଅର୍ଥାତ Value Added Chain ମାଧ୍ୟମରେ ଉନ୍ନତି ପଥରେ ଅଗ୍ରସର ହେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବୀ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ଥିଲା । ଆଜି ମହିଳାମାନେ ନିଜ ସ୍ଵପ୍ନ ପୂରଣ କରିବାର ସୁଯୋଗ ପାଉଛନ୍ତି । ଯୋଜନାକୁ ଆହୁରି ଫଳପ୍ରଦ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅବା ଉପ-ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୁଭଦ୍ରା ହିତାଧିକାରୀମାନେ ତାଙ୍କର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ଵାନ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ସଫଳ ସୁଭଦ୍ରା ହିତାଧିକାରୀଙ୍କ ସହ କଥା ହୋଇ ସେମାନଙ୍କ ଉଦ୍ୟମିତା କାହାଣୀ ବିଷୟରେ ଆଲୋଚନା କରିଥିଲେ । ମାଲକାନଗିରି ଜିଲ୍ଲାର ମେରି ହରିଜନ ସୁଭଦ୍ରା ସହାୟତାକୁ ବ୍ୟବହାର କରି ସିଲେଇ କାର୍ଯ୍ୟ କରୁଥିବା ବେଳେ ବାଲେଶ୍ଵରର ସରସ୍ଵତୀ ଜେନା ତାଙ୍କ ବିଉଟି ପାରଲରକୁ ଆଗକୁ ବଢେଇ ପାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମମତା ପଟ୍ଟନାୟକ ଚାନ୍ଦୁଆ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ବଲାଙ୍ଗୀରର ପ୍ରମିଳା ତାଣ୍ଡି ଶାଢ଼ୀ ବୁଣା କାର୍ଯ୍ୟକ୍ରମ କରୁଛନ୍ତି । କିଏ ଛତୁ ଚାଷ କରିପାରୁଛି ତ କିଏ ଛୋଟ ଟିଫିନ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି।ଏହିପରି ଭାବେ ଜିଲ୍ଲାର ସୁଭଦ୍ରା ହିତାଧିକାରୀମାନେ ନିଜ ନିଜର ଉଦ୍ୟମିତା କାହାଣୀ ବଖାଣିଥିଲେ।ଏହି ସବୁ କାର୍ଯ୍ୟ କରି ସୁଭଦ୍ରା ହିତାଧିକାରୀମାନେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Comments (0)
Add Comment