ଆଜି ଏହି ସବୁ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର:ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ସାରାଦିନ ବର୍ଷା ଲାଗିରହିଛି। କୋରାପୁଟରେ ସର୍ବାଧିକ ୬୪.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୪୯.୬ ମିମି, ନବରଙ୍ଗପୁରରେ ୩୩.୨ ମିମି, ଢ଼େଙ୍କାନାଳରେ ୨୬.୪ ମିମି, ମାଲକାନଗିରିରେ ୨୧.୨ ମିମି, ଭବାନୀପାଟଣାରେ ୧୦.୨ ମିମି ଏବଂ ତାଳଚେରରେ ୧୦.୦ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ମଧ୍ୟାହ୍ନରେ ଅବପାତ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେଣୁ ରାଜ୍ୟର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ଏହି ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ପ୍ରବଳ ବର୍ଷା ନେଇ ଗଞ୍ଜାମ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୋନପୁରକୁ ୟେଲୋ ଓ୍ବାର୍ନିଂ ରହିଛି।

Comments (0)
Add Comment