ବିଜେଡି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ, ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ଝଡର ଇଗଲ, କଳିଙ୍ଗ ସମ୍ରାଟ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ପାଳି ହୋଇଯାଇଛି । ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପାଇଁ ବିନ୍ଦୁ ସାଗରଠାରେ ଏକ ତିଳତର୍ପଣ କାର୍ଯ୍ୟକ୍ରମ ସହିତ ଯୁବ ଜନତା ଦଳ ଅଫିସରେ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଅଛି । ମୁକୁଟ ବିହିନ ସମ୍ରାଟ ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟ ଓ ଆଧୁନିକ ଓଡିଶା ଗଠନ ପାଇଁ ନେଇଥିବା ପଦକ୍ଷେପକୁ ଆମ୍ଭେମାନେ କିଭଳି ଆହୁରି ତ୍ୱାରନ୍ୱିତ କରିବା ତା’ଉପରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ନିଜର ମତ ରଖିଥିଲେ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ସମାଜ ଏକ ଆଧୁନିକ ଓଡିଶା ଗଠନରେ ମୁଖ୍ୟ ବିନ୍ଧାଣି ସାଜିବା ପାଇଁ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ ।

ବିଜୁ ବାବୁଙ୍କ ଚିନ୍ତା ଚେତନା ଯଦି ଭବିଷ୍ୟତର ଯୁବପୀଢିଙ୍କୁ ଅନୁପ୍ରାଣିତ କରିପାରିବ ତେବେ ତାହାହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମା ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କୁଅଁର, ବରିଷ୍ଠ ନେତା ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ, ଅରୂପ ପଟ୍ଟନାୟକ, ଯୁବନେତା ରବି ସାମଲ, ସୁବାଷ ଚନ୍ଦ୍ର ପାତ୍ର, ଦୁର୍ଗା ସାମନ୍ତରାୟ, ପ୍ରିୟଦର୍ଶୀ ମିଶ୍ର, କୁନାବିହାରୀ ଦାସ, ରଂଜିତ ମହାପାତ୍ର, ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର, ଚିନ୍ମୟ ସାହୁ, ରୁଦ୍ର ସାମନ୍ତରାୟ, ସୁଲତା ଦେଓ, ମିରା ପରିଡାଙ୍କ ସହିତ ସାଂଗଠନିକ ଜିଲ୍ଲାର ବରିଷ୍ଠ ପଦାଧିକାରୀ ସମସ୍ତ କର୍ପୋରେଟର ଓ ବୁଦ୍ଧିଜୀବିମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ସଭା ଶେଷରେ ବିଜୁ ଜନତା ଦଳ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Comments (0)
Add Comment