ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନାହିଁ, ଆଣ୍ଠୁଏ ପାଣିରେ ପିଲା ଯାଉଛନ୍ତି

ଘୁ ଉଦୟଗିରି :ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟକ ବ୍ଲକରେ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ହେଲେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକରେ ବିଳମ୍ବରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ତିନି ବର୍ଷ ହେଲା ବିଦ୍ୟାଳୟ ଆରମ୍ଭ ହୋଇଛି । ସ୍ଥାନୀୟ ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ସମ୍ମୁଖରେ ୭ଏକର ଜମି ନେଇ କୋଟି କୋଟି ଟଙ୍କା ବ୍ୟୟରେ ଆଦର୍ଶ ବିଦ୍ୟାଳୟ କୋଠା ନିର୍ମାଣ କରାଯାଇ ଚଳିତ ବର୍ଷଠାରୁ ପିଲାଙ୍କ ଶିକ୍ଷା ଆରମ୍ଭ ହୋଇଛି । କେବଳ ବିଦ୍ୟାଳୟ କୋଠା ନିର୍ମାଣ ହେଲା, ହେଲେ ମୁଖ୍ୟ ସଡକ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନାହିଁ । ମାଟି ପକେଇ ପିଲା ଯିବା ଆସିବା କରିବା ନିମନ୍ତେ ଛାଡି ଦିଆଯାଇଛି । ଉକ୍ତ ରାସ୍ତା ଏବେ ପିଲାଙ୍କ ପାଇଁ ମରଣାଯନ୍ତା ପାଲଟିଛି । ରାସ୍ତାରେ ଆଣ୍ଠୁଏ ଖାଲ କାଦ ପଚପଚ ଆଣ୍ଠୁଏ ଲେଖାଏଁ ପାଣି । ରାସ୍ତରେ ଯାଉଥିବା ପିଲା ଏବଂ ଅଭିଭାବକ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି । କାଦୁଅ ପାଣି ରାସ୍ତାରେ କିଏ ପଡୁଛି ତ କିଏ ଗାଡି ଏବଂ ସାଇକଲରୁ ଓହ୍ଲାଇ ଚାଲି ଚାଲି ଯାଉଛନ୍ତି । ଏଣୁ ତୁରନ୍ତ ଆଦର୍ଶ ବିଦ୍ୟାଳୟ ରାସ୍ତା ନିର୍ମାଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Comments (0)
Add Comment