ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ପୁରୀ ଜିଲ୍ଲା ବିଜେଡି

ପୁରୀ : ଆଗାମୀ ଦିନରେ ପୁରୀ ଜିଲା ରେ ବନ୍ୟାଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ଅସୁବିଧା ହେବ ନାହିଁ । ପୁରୀ ଜିଲ୍ଲାରେ ଡ୍ରେନେଜ୍‌ ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ଶହ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ମହେଶ୍ୱର ମହାନ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଚାଷ ଜମି ଜଳବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପ୍ରକ୍ରିୟା ତ୍ୱରାନ୍ୱିତ ନେଇ ଡ୍ରେନେଜ ପୁନରୁଦ୍ଧାର କାର୍ଯ୍ୟକ୍ରମ କରାଯାଇଛି । ୫ ବର୍ଷ ପାଇଁ ଏହି ଯୋଜନା କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ପୁରୀ ଜିଲ୍ଲାରେ ୧୧୦୦ କିଲୋମିଟର ଡ୍ରେନେଜ କାମ କରାଯାଇ ୧୭୧୩୦ ହେକ୍ଟର ଜମି ଜଳବନ୍ଦୀ ମୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ପୁରୀ ଜିଲ୍ଲା ଏକ ପ୍ରମୁଖ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ମାଧ୍ୟମରେ ଚାଷୀ ମାନେ ବେଶ ଉପକୃତ ହୋଇପାରିବେ । ଏ ନେଇ ଏକ ସାମ୍ବାଦିକ ସମ୍ବିଳନୀରେ ପିପିଲି ବିଧାୟକ ରୁଦ୍ର ମହାରଥୀ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ପୁରୀ ଜିଲ୍ଲାରେ ବନ୍ୟା ଆସିଲେ ଅଥବା ପ୍ରବଳ ବର୍ଷା ବନ୍ୟା ଓ ବର୍ଷା ଜଳରେ ହଜାର ହଜାର ହେକ୍ଟର ଜମି ଜଳରେ ଦୀର୍ଘ ଦିନ ବୁଡ଼ି ରହୁଛି । ବିଶେଷ କରି ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହି ପରିସ୍ଥିତି ଉପୁଜୁଛି । ଚାଷ ଜମିରେ ଦୀର୍ଘ ଦିନ ଜଳ ଜମି ରହୁଥିବା ହେତୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛିି । ଏହା ଦ୍ୱାରା ଚାଷୀ ମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ର ସମାଧାନ ନେଇ ବାରମ୍ବାର ଦାବୀ ପରେ ମୁଖ୍ୟମନ୍ତ୍ରୀ ଏହୀ ସମସ୍ୟାକୁ ହୃଦୟଙ୍ଗମ କରି ଚାଷୀଙ୍କ ସୁବିଧା ପାଇଁ ତଥା ଚାଷ ଜମି ରେ ରହୁଥିବା ଜଳକୁ ନିଷ୍କାସନ ନେଇ ଆର୍ଥିକ ବ୍ୟବସ୍ଥା କରିଥିବାରୁ ଏହା ବେଶ୍‌ ଫଳପ୍ରଦ ହେବ ବୋଲି ବିଜେଡ଼ି ନେତା କହିଛନ୍ତି ।

Comments (0)
Add Comment