ଦଶପଲ୍ଲା ଗ୍ରାମାଞ୍ଚଳରେ ସକ୍ରିୟ କେନ୍ଦୁପତ୍ର ମାଫିଆ

ଦଶପଲ୍ଲା : ଯେଉଁ କେନ୍ଦୁପତ୍ର ପାଇଁ ଭାରତ ମାନଚିତ୍ରରେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା, ଯେଉଁ କେନ୍ଦୁପତ୍ର ଲାଭାଂଶରେ ଓଡିଶାର ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହେଉଥିଲା, ସେହି କେନ୍ଦୁପତ୍ର ଉପରେ ଏବେ ଦୃଷ୍ଟି ପଡିଛି ମାଫିଆ ମାନଙ୍କର । ଏ ବର୍ଷ ପାଗ ଅନୁକୁଳ ଥିବାରୁ ପୂର୍ବବର୍ଷ ତୁଳନାରେ ୨ ଗୁଣ କେନ୍ଦୁପତ୍ର ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ବେଳେ, ବିଭାଗର ଅପାରଗତା କାରଣରୁ ସଂଗୃହିତ କେନ୍ଦୁପତ୍ରର ସିଂହ ଭାଗ କେନ୍ଦୁପତ୍ର ମାଫିଆମାନଙ୍କ ହାତକୁ ଚାଲି ଯାଉଛି । ବିଭାଗୀୟ କର୍ମଚାରୀଙ୍କ ଖାମ୍‌ ଖିଆଲ ନୀତି ଯୋଗୁଁ ଅଧିକାଂଶ କେନ୍ଦୁପତ୍ର ତୋଳାଳୀଙ୍କ ପରିଚୟପତ୍ର ଓ ବିକ୍ରୟ କାର୍ଡ ହୋଇନପାରିବା ଯୋଗୁଁ ସେମାନେ ସରକାରଙ୍କୁ କେନ୍ଦୁପତ୍ର ବିକ୍ରୟ କରିପାରି ନ ଥାନ୍ତି । ଏହାର ସୁଯୋଗ ନେଇ କଟକ ଜିଲ୍ଲା ବଡମ୍ବା, ନରସିଂହପୁର ଅଂଚଳର ଚୋରା ବ୍ୟବସାୟୀ ମାନେ ଗରିବ ନୀରିହ ଆଦିବାସୀମାନଙ୍କ ଠାରୁ ଶାଗ ମାଛ ମୂଲ୍ୟରେ କେନ୍ଦୁପତ୍ର କିଣି ନେଇ ଲାଭବାନ ହୋଇଥାନ୍ତି । ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁପତ୍ର ମାଫିଆଙ୍କର ପ୍ରତିନିଧିମାନେ ଗାଁ ଗାଁ ବୁଲି ଉଚ୍ଚ ଦରର ଲୋଭ ଦେଖାଇ ତୋଳାଳୀମାନଙ୍କୁ ଅଗ୍ରୀମ ଟଙ୍କା ଦେଇ ଉନ୍ନତମାନର କେନ୍ଦୁପତ୍ର ଗୁଡିକୁ ନେଇଯାଇଥାନ୍ତି । ଫଳତଃ ଗରିବ କେନ୍ଦୁପତ୍ର ତୋଳାଳିଟି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଶୋଷିତ ହୋଇଥାଏ । ଏହି ମାଫିଆଙ୍କ ପ୍ରତିନିଧିମାନେ କେନ୍ଦୁପତ୍ର ସଂଗରେ କିପରି ଆଜେ ବାଜେ ପତ୍ର ମିଶାଇ ସରକାରଙ୍କୁ ଠକାଯାଇ ପାରିବ ତାହାର ସୂତ୍ର ମଧ୍ୟ ତୋଳାଳି ମାନଙ୍କୁ ବତାଇ ବିଭାଗ ତଥା ସରକାରଙ୍କୁ କ୍ଷତିଗ୍ରସ୍ତ କରିଥାନ୍ତି ।ଏ ସଂପର୍କିତ ସମସ୍ତ ତଥ୍ୟ ବିଭାଗୀୟ କର୍ମଚାରୀଙ୍କ ପାଖରେ ଥିଲେ ମଧ୍ୟ କର୍ମଚାରୀ ମାନଙ୍କର ନିଦାବିଷ୍ଣୁ ଭଳି ଆଚରଣ, ସର୍ବସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

Comments (0)
Add Comment