କୋକସରା ଗସ୍ତରେ ଫାଇଭ -ଟି ସଚିବ;ବୁଢାରଜା ମନ୍ଦିର, କରକ ଜଳପ୍ରପାତ ଓ ଡୋକରୀଚଞ୍ଚରାର ହେବ ଉନ୍ନତିକରଣ

କୋକସରା : ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଥିବା ଫାଇଭ -ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ ଆଜି କୋକସରା ବ୍ଲକ ଗସ୍ତ କରିଥିଲେ । ସେ ଏହି ଅବସରରେ ଆମପାଣି ବୁଢାରଜା ମନ୍ଦିର ଠାରେ ପହଞ୍ଚି ପ୍ରଭୁ ବୁଡ଼ାରାଜାଙ୍କ ଦର୍ଶନ କରି ଅଳ୍ପ ସମୟର ଉଦବୋଧନ ଦେଇଥିଲେ । ସେ ଜୟ ବୁଢାରଜାରୁ ଆରମ୍ଭ କରି ମିଶନ ଶକ୍ତି ମହିଳା ମାନଙ୍କୁ ମିଶନ ଶକ୍ତି ଦ୍ୱାରା ବିନା ସୁଧରେ କେତେ ଟଙ୍କା ଲୋନ ଦିଆଯାଉଛି ଓ ବିଜୁସ୍ୱାସ୍ଥ୍ୟ କାର୍ଡ ରେ କେତେ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗେଇ ଦିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ । ଆମପାଣି ଠାରେ ଥିବା ବୁଢାରଜା ମନ୍ଦିର ଓ କରକ ଜଳପ୍ରପାତର ଉନ୍ନତି କରଣ ପାଇଁ ପନ୍ଦର ଦିନ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଞ୍ଚ ସାମ୍ନାରେ ବସିଥିବା ମହିଳା ମାନଙ୍କ ପାଖକୁ ଯାଇ ବ୍ୟକ୍ତିଗତ ଭାବେ ଭେଟିଥିଲେ । ପାଣ୍ଡିଆନଙ୍କୁ ପାଖରେ ପାଇ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନେ ସେଲ୍ଫି ନେଇଥିଲେ । ଏହା ପରେ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକରୀଚଞ୍ଚରା ଅଭିମୁଖେ ଯାଇ ଡୋକରୀଚଞ୍ଚରାର ଉନ୍ନତି ପାଇଁ ପ୍ରଶାସନ ସହିତ ଉନ୍ନୟନ କମିଟି ଆଲୋଚନା କରି ପନ୍ଦର ଦିନ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୋକରୀଚଞ୍ଚରା ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସ୍ୱପ୍ରସ୍ତୁତ ପିଠା, ମିଠା ଓ ଜଙ୍ଗଲ ଜାତ ଫଳମୂଳ ଭେଟି ଦିଆଯାଇଥିଲା । ବରିଷ୍ଠ ପ୍ରଶାସନିକ ଅଧିକାରୀ ଭିନେଲ କ୍ରିଷ୍ଣା, ପୋଲିସ ଡିଜି, କଲାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡି ଓ ଏସପି ଅଭିଳାଷ ଜି, ଜିଲ୍ଲାପରିଷଦ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ ଫାଇଭ -ଟି ସଚିବଙ୍କ ସହ ଏହି ଗସ୍ତରେ ସାମିଲ ହୋଇଥିଲେ । କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟେ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । କାର୍ଯ୍ୟକ୍ରମରେ ଚାରିହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସଭାରେ ଯୋଗଦେଇଥିବା ମହିଳା ଓ ପୁରୁଷ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

Comments (0)
Add Comment