ରାସ୍ତା ପାଇଁ ବିବାଦ ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ ପାଇଁ ସାହି ବାସିନ୍ଦାଙ୍କ ଚେତାବନୀ


ବାଲିଗୁଡ଼ା,୨୧/୯: ଦୈନନ୍ଦିନ ଚଲା ରାସ୍ତା ପାଇଁ ବିବାଦ ଏବେ ଉଗ୍ରରୂପ ନେବାକୁ ଯାଉଛି । ଦୀର୍ଘ ବର୍ଷ ହେଲା ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣଶି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି । ଫଳରେ ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଅବରୋଧ କରିବା ସହ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ୧୩ନଂ ଓ୍ବାର୍ଡ ଅନ୍ତର୍ଗତ ସୁନାପାଙ୍ଗା ଅଞ୍ଚଳର ମହାପାତ୍ର କଲୋନୀରେ । ଘଟଣା ପ୍ରକାରେ ବହୁ ବର୍ଷ ପୂର୍ବରୁ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ସୁନାପାଙ୍ଗା ସାହିର ମହାପାତ୍ର କଲୋନୀରେ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରିଆସୁଛନ୍ତି । ଦୈନନ୍ଦିନ ଯିବା ଆସିବା କରିବାପାଇଁ ମୁଖ୍ୟ ରାସ୍ତାକୁ ଏକ ଚଲାରାସ୍ତା ରହିଅଛି । ହେଲେ ଗତ କିଛିବର୍ଷ ହେବ ଜଣେ ବ୍ୟକ୍ତି ନିଜର ଜାଗାଥଗବା କହି ସେହି ରାସ୍ତା ଉପରେ ଘର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି ଦୈନନ୍ଦିନ ଯିବା ଆସିବା ରାସ୍ତା ଉପରେ ଘର ତିଆରି ହୁଏ ତେ ମହାପାତ୍ର କଲୋନୀରେ ରହୁଥିବା ୨୦ରୁ ଉର୍ଦ୍ଧ୍ବ ପରିବାରଙ୍କ ପାଇଁ ରାସ୍ତା ବନ୍ଦ ହୋଇଯିବ । ଏଣୁ ଏନେଇ ସାହି ବାସିନ୍ଦା ତିନି ବର୍ଷ ହେଲାଣି ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବାସହ ସମସ୍ୟାର ସମାଧାନ ପାଇଁ ଗୁହାରି କରିଆସୁଛନ୍ତି । ଦୀର୍ଘ ବର୍ଷ ଧରି ଗୁହାରି କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣଶି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ସମସ୍ୟାର ସମାଧାନ ନହେଲେ ତା-୨୨.୦୯.୨୦୨୦ ରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାରଖମା – ବାଲିଗୁଡ଼ା ରାଜ୍ୟ ରାଜପଥ ଅବରୋଧ କରିବା ସହ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Comments (0)
Add Comment