ଗଣିଆ -” ଦ୍ୱିତୀକୃଷ୍ଣ ସାହୁ “ଗଣିଆ ଅଞ୍ଚଳରେ ଏକ ନାମ ନୁହେଁ ,ଏକ ଅନୁଷ୍ଠାନ । ଜୀବନ ସାରା ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ସବୁଦିନ ପାଇଁ ଆଖି ବୁଜିଛନ୍ତି ଶିକ୍ଷାବିତ୍ ଦ୍ୱିତୀକୃଷ୍ଣ ସାର୍ । ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗଣିଆ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଶେଷ ନିଶ୍ବାସ ତ୍ୟାଗ କଲା ସମୟରେ ରାମନାମ ନେଇ ସେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଏକମାତ୍ର ପୁତ୍ର ବିଜୟ କୁମାର ସାହୁ ସୁଦୁର ରାୟଗଡ଼ାରେ ଚାକିରୀ କରିଥିବାରୁ ସେ ଆସିବାପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।
ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପାଟଣା ସାହି ସ୍ଥିତ ବାସ ଭବନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସେ ଜଣେ ସରଳ, ନିଃସ୍ଵାର୍ଥପର, ପ୍ରଭୁବତ୍ସଳ ବ୍ୟକ୍ତି ଭାବେ ଗଣିଆରେ ବେଶ୍ ପରିଚିତ ଥିଲେ । ଗଣିଆ ରାମ ମନ୍ଦିରର ନାଟ୍ୟଗୁରୁ ଭାବେ ସେ ଅନେକ କଳାକାରଙ୍କୁ ନିଜ ହାତରେ ଗଢିଥିଲେ । ରାମ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ତଥା ପରିଚାଳନା କମିଟିର ସଭାପତି ଭାବେ କାର୍ଯ୍ୟ କରୁଥିଲେ । ରାମଲୀଳା ଯାତ୍ରାରେ ନାଟକ ଶିକ୍ଷା ଦେବା ସହିତ ନିଜେ ଅତ୍ୟନ୍ତ ସୁଲଳିତ କଣ୍ଠରେ ପୁରାଣ ପଢୁଥିଲେ । ଗଣିଆ ଲଙ୍କାପୋଡି ଯାତ୍ରା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ପ୍ରଭୁଙ୍କ ସେବା କରିବା ପାଇଁ ସେ ସଦାସର୍ବଦା ତତ୍ପର ଥିଲେ । ଗଣିଆ ସବୁଦିନ ପାଇଁ ଜଣେ ମୂରବୀଙ୍କୁ ହରାଇଲା ବୋଲି ଅତ୍ୟନ୍ତ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରା । ତାଙ୍କ ମୃତ୍ୟୁ ରାମ ମନ୍ଦିର ତଥା ଗଣିଆ ଲଙ୍କାପୋଡି ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି ।