ପଶ୍ଚିମବଙ୍ଗ ଚାଲାଣ ବେଳେ ତାଳ ପଟା ଜବତ

ହରଭଙ୍ଗା: କିଛି ଦିନ ତଳେ ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁଙ୍କ ଉତ୍ତମ ପ୍ରୟାସ ଦେଖିବାକୁ ମିଳିଥିଲା । ଏପରିକି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଇବା ପାଇଁ ତାଳ ଖଜୁରୀରୁ ସଂଗ୍ରହ କରି କିପରି ଗୁଡ଼ ପ୍ରସ୍ତୁତ ହୋଇପାରିବ ନେଇ ଉଦ୍ୟମ ଜାରି ରଖିଥିଲେ ଏବଂ ଏହି ଗୁଡ଼ ସଂଗ୍ରହ କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ରାଜ୍ୟରେ ପ୍ରଥମ ସ୍ଥାନ ରହିଥିଲା । ପରୀକ୍ଷାମୂଳକ ଭାବେ ଉକ୍ତ ତାଳ ଖଜୁରୀରୁ ଗୁଡ଼ ପ୍ରସ୍ତୁତି କରି ଶୁଭାରମ୍ଭ ମଧ୍ୟ କରିଥିଲେ ଜିଲ୍ଲାପାଳ । ଗ୍ରାମାଞ୍ଚଳଗୁଡିକରେ ବହୁଳଭାବେ ଥିବା ତାଳ, ଖଜୁରୀ ଗଛରୁ ଫଳ ସଂଗ୍ରହ କରି କିପରି ଗୁଡ଼ ପ୍ରସ୍ତୁତି ହୋଇ ପାରିବ ସେନେଇ ବିଭିନ୍ନ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ତାଲିମ ପ୍ରଦାନ ଦେବା, ଲୋକଙ୍କୁ ସଚେତନତା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଏପଟେ ଜିଲ୍ଲାରେ ଏହି ପ୍ରଜାତିର ଗଛ ଗୁଡିକ ବିଶେଷ କରି ଗ୍ରାମାଞ୍ଚଳ ଗୁଡିକରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିବା ବେଳେ ଋତୁ ଗୁଡିକରେ ପ୍ରଚୁର ଫଳ ଆସିଥାଏ । ତାହାକୁ ଦୃଷ୍ଟିରେ ରଖି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଳ ଖଜୁରୀ ସଂଗ୍ରହ ପାଇଁ ଦାୟିତ୍ୱ ଦେଇ ମହିଳାଙ୍କୁ ସ୍ୱାବଲମ୍ବି ପାଇଁ ଏକ ପନ୍ଥା ଦେଖାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଠିକ୍‌ ଏହି ସମୟରେ ପ୍ରଶାସନର ଉଦ୍ୟମକୁ ଭଣ୍ଡୁର କରି କିଛି ପଶ୍ଚିମବଙ୍ଗର ଦଲାଲ ମାନେ ଆସି ଗ୍ରାମାଞ୍ଚଳ ଗୁଡିକରେ ଥିବା ଏହି ସବୁ ଗଛ ଗୁଡିକ ମନ ଇଛା କାଟି ନେଉଥିବା ନଜରକୁ ଆସିଥିଲା । ଏପରିକି ୫୭ନମ୍ବର ଜାତୀୟ ରାଜପଥ କଡ଼ର ରାଧାନାଗର ସ୍କୁଲ ପଡିଆଠାରେ ଶହ ସହ ଉକ୍ତ ଗଛର ପଟା ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଏହି ଗଛ ଗୁଡିକ ମଧ୍ୟ ଦିନ ଦି ପ୍ରହରରେ କାଟି ପଟା ପ୍ରସ୍ତୁତ କରୁଥିଲେ ମଧ୍ୟ ଜିଲ୍ଲାର କୌଣସି ପ୍ରଶାସନ ଅଧିକାରୀକି ଫରେଷ୍ଟ ବିଭାଗ, ସ୍ଥନୀୟ ପୋଲିସ୍‌ର ନଜରକୁ ଆସୁ ନ ଥିଲା । ହଠାତ ସୋମବାର ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ରାସ୍ତାରେ ଯାଉଥିବା ବେଳେ ଏହି ପଟା ଗୁଡିକ ଏକ ଟ୍ରକ୍‌ରେ ଭର୍ତ୍ତି ହେଉଥିବା ଦେଖି ବିଭିନ୍ନ ଅଧିକାରୀଙ୍କୁ ଗାଡି, ପଟା ସିଜ୍‌ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ଘଟଣା ସ୍ଥଳରେ ହରଭଙ୍ଗା ତହସିଲଦାର ବିଶ୍ୱଜିତ ପ୍ରଧାନ, ଆଶିଷ କହଁର, ହରଭଙ୍ଗା ଉଦ୍ୟାନ ବିଭାଗ ଅଧିକାରୀ ଜ୍ଞାନ ରଞ୍ଜନ ଦିଗାଲ, ବିରନାରସିଂହପୁର ରାଜସ୍ୱ ନିରୀକ୍ଷକ -ସୋନାଲି ବିଶି, ବୌଦ୍ଧ ପୋଲିସ୍‌ଙ୍କ ଉପସ୍ଥିତିରେ ହାଇୱା ଏବଂ ଏକ ଟ୍ରକ୍‌କୁ ଜବତ କରିବା ସହ ଏହାର ଡ୍ରାଇଭରଙ୍କୁ ଗିରଫ କରି ବୌଦ୍ଧ ଥାନାକୁ ଆଣିଛି । ଅନ୍ୟପଟେ ଏହି ତାଳ ଗଛ ନଷ୍ଟ ନେଇ ବୁଦ୍ଧିଜୀବୀ ଓ ପରିବେଶବିତ୍‌ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

Comments (0)
Add Comment