ଶୀତ ପ୍ରକୋପରୁ  ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପରୁ  ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ରାତି ତାପମାତ୍ରା । କମିବ  ଶୀତର ପ୍ରଭାବ । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ  ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଏଭଳି  ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ଗତ କିଛିଦିନ  ଧରି ଲାଗି ରହିଥିବା ବର୍ଷା ଆଶଙ୍କା ଦୂର ହୋଇଛି । ଆସନ୍ତା  ୬ ଦିନ ପର୍ଯ୍ୟନ୍ତ ବର୍ଷାର କୌଣସି ସମ୍ଭାବନା ନାହିଁ । ପାଗ  ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି ।  

ଗତ ୨/୩ ଦିନ ହେବ ରାଜ୍ୟରେ ଶୀତ ବଢ଼ିଛି ।  ଗୁରୁବାର ରାତିରେ ଜି.ଉଦୟଗିରି ପୂରା କାଲୁଆ ପାଲଟି  ଯାଇଥିଲା । ପାରଦ ଖସି ପହଞ୍ଚିଥିଲା ୫.୪ ଡିଗ୍ରୀ  ସେଲସିୟସରେ। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ  ତାପମାତ୍ରା ଥିଲା ୮.୫ ଡିଗ୍ରୀ । ଝାରସୁଗୁଡ଼ା ୯.୨,  ଭବାନୀପାଟଣା ୯.୮, ଅନୁଗୁଳ ୯.୬ ଡିଗ୍ରୀ ଥିଲା ।  ପ୍ରାୟତଃ ତାପମାତ୍ରା ୧୫ ଡିଗ୍ରୀ ଭିତରେ ଥିଲା । ଏପରିକି  କଟକ ୧୩.୨ ଓ ଭୁବନେଶ୍ୱର ୧୪.୩ ଡିଗ୍ରୀ ରେକର୍ଡ  ହୋଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା,  ଶନିବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ,  କଳାହାଣ୍ଡିରେ ଘନ କୁହୁଡ଼ି ଆଶଙ୍କା ଅଛି ।

ସେହିପରି  ଶନିବାର ରାତି ଓ ରବିବାର ସକାଳେ ମଧ୍ୟ ଏସବୁ ଜିଲ୍ଲାରେ  ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି ।    ଶ୍ରୀଲଙ୍କା ଉପକୂଳ ନିକଟରେ ଥିବା ବାତ୍ୟା ଉତ୍ତର  ତାମିଲନାଡ଼ୁ, ପୁଡୁଚେରୀ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆନ୍ଧ୍ର  ଉପକୂଳ ନିକଟରେ ୩୦ ତାରିଖ ଭୋର ସମୟରେ  ପହଞ୍ଚିପାରେ । ତେବେ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା  ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ପାଗ ଶୁଖିଲା ରହିବ । ୫  ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।

Comments (0)
Add Comment