ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ବଢ଼ୁଛି। ୬ଟି ସ୍ଥାନରେ ପାରଦ ୪୦ଡିଗ୍ରୀ ଟପିଛି। ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିର ଏବଂ ଭବାନୀପାଟଣାରେ ୪୧ ଡିଗ୍ରୀ ଲେଖାଏଁ ରହିଛି। ଝାରସୁଗୁଡ଼ାରେ ୪୦.୭, ସମ୍ବଲପୁରରେ ୪୦.୧, ହୀରାକୁଦରେ ୪୦ ଡିଗ୍ରୀ ରହିଛି। ସେହିପରି ଭୁବନେଶ୍ବରରେ ୩୭.୭ ଡିଗ୍ରୀ ଥିବାବେଳେ କଟକରେ ୩୭.୪, ସୁବର୍ଣ୍ଣପୁରରେ ୩୯.୯, ବୌଦ୍ଧରେ ୩୯.୫, ପାରଳାଖେମୁଣ୍ଡିରେ ୩୯.୨ ଡିଗ୍ରୀ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସର୍ବାଧିକ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ଗ୍ରୀଷ୍ମ ଲହରୀ ଦେଖାଦେବ। ଆଜି ବଲାଙ୍ଗିର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା ଏବଂ ଭବାନୀପାଟଣାରେ ଦିନ ତାପମାତ୍ରା ୪୨ରୁ ୪୩ଡିଗ୍ରୀ ଅତିକ୍ରମ କରିପାରେ। ଉତ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୩୮ଡିଗ୍ରୀ ଭିତରେ ରହିବ। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୭୫ରୁ ୮୦% ରହିବାରୁ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।