ଶ୍ରୀମନ୍ଦିରରେ ଅନୁଷ୍ଟିତ ହେଲା ହେରା ପଞ୍ଚମୀ ନୀତି

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନୀତି । ବିଧି ପରମ୍ପରା ଅନୁଯାଇ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ରାତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିମାନରେ ଆସିଥିଲେ । ଗତ ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ତେବେ ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଥିଲେ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ଏଥି ପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । ସେହି କ୍ରମରେ ପରମ୍ପରା ଅନୁଯାୟୀ ଶନିବାର ଦିନ ହେରାପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିମାନରେ ଆସିଥିଲେ ମା ଲକ୍ଷ୍ମୀ ।
ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁଙ୍କ ଶୁକ୍ରବାର ବନକଲାଗି ଅନୁଷ୍ଠିତ ହୋଇଥିଲା । ଶନିବାର ସଂଧ୍ୟା ଆରତୀ ପରେ ବିମାନରେ ଏକ ଭବ୍ୟ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସିଥିଲେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତିମହାପାତ୍ର ସେବାୟତ ବନ୍ଦାପନା ନୀତି କରିଥିଲେ । ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥିଲା । ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିଲା । ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିଥିଲେ ମା ମହାଲକ୍ଷ୍ମୀ । ସେପଟେ ରାଗ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।ଏହି ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିଥିଲେ । ଏହାପରେ ଅଭିମାନିନୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବିମାନରେ ପ୍ରସ୍ଥାନ କରିଥିଲେ ।
ତେବେ ହେରା ପଞ୍ଚମୀ ନୀତି ପରେ ଆଜି ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିବ ତିନି ରଥ । ତିନି ରଥକୁ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରରେ ଲଗାଯିବ । ତିନି ରଥକୁ ପୋଲିସ୍‌ କର୍ମଚାରୀ ଓ ଭୋଇ ସେବକ ମାନେ ଗୁଣ୍ଡିଚା ମନ୍ଦିର ସିଂହ ଦ୍ୱାରରୁ ତିନି ରଥକୁ ଟାଣି ଟାଣି ନାକଚଣା ଦ୍ୱାରରେ ଲଗାଇବେ । ରଥର ଦକ୍ଷିଣ ମୋଡ଼ର ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ନୀତି ପର ଦିନ ରଥ ତ୍ରୟକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରରେ ଲଗାଯାଏ । ଏଥି ସହ ବାହୁଡ଼ା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

Comments (0)
Add Comment