ପୁରୀ : ପେଶାଦାର ଅନ୍ତଃରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ଝାଡ଼ଖଣ୍ଡ ଅଞ୍ଚଳର ସୀତାରାମ ମଣ୍ଡଳ । ଲୋକଙ୍କ ଏଟିଏମ କାର୍ଡ ବ୍ୟବହାର କରି ଟଙ୍କା ଲୁଟ କରୁଥିଲା । ଟଙ୍କା ଉଠାଇଦେବା ବାହାନାରେ ଲୁଟ କରୁଥିଲା ଏହି ଲୁଟେରା । ପୁଲିସ ତାଠାରୁ ୧୧ଟି ଏଟିଏମ କାର୍ଡ ଜବତ କରିବା ସହିତ ୭୮ହଜାର ଟଙ୍କା, ଗୋଟେ ସୁନା ଚେନ ଓ ସୁନା ମୁଦି ଜବତ କରିଛି । ଅଭିଯୁକ୍ତ ସୀତାରାମ ଙ୍କ ଅନେକ ଥାନାରେ ମଧ୍ୟ ଲୁଟ ମାମଲା ରହିଛି । ଖବର ମୁତାବକ ବିଗତ କିଛି ଦିନ ଧରି ଏଟିଏମରୁ ଟଙ୍କା ଉଠେଇବାକୁ ଆସୁଥିବା ପରିଣିତ ବୟସ ଓ ମହିଳାଙ୍କୁ ଅଭିନବ ଉପାୟରେ ଏଟିଏମ ଅଦଳବଦଳ କରିବା ସହ ଟଙ୍କା ଲୁଟ କରୁଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହୋଇ ଆସୁଥିଲା । ଗତ ୯ତାରିକରେ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଦର୍ଜୀ ପୋଖରୀ ଛକ ନିକଟରେ ଥିବା ବ୍ୟାଙ୍କ ଅଫ ବରୋଦା ଏଟିଏମରେ ଟଙ୍କା ଉଠାଇବା ପାଇଁ ଆସିଥିଲେ । ସେ ଏଟିଏମ ମେସିନରେ ସଂପୂର୍ଣ୍ଣ ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ନିକଟରେ ଲୁଟେରା ସୀତାରାମ ସାହାଯ୍ୟ ପାଇଁ ତାଙ୍କ ନିକଟକୁ ଆସିଥିଲେ । କିନ୍ତୁ ଚତୁରତାର ସହିତ ଉକ୍ତ ଅଜ୍ଞାତ ଅଭିଯୁକ୍ତ ସୀତାରାମ ଏଟିଏମ୍ କାର୍ଡ ଅଦଳବଦଳ କରିଥିଲେ । ଏବଂ ଅନ୍ୟ ଜଣଙ୍କର ଏଟିଏମ୍ କାର୍ଡ ଦେଲେ ଏବଂ ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ୨୫ ହଜାର ନଗଦ ଟଙ୍କା ପ୍ରତ୍ୟାହାର ନେଇ ତାଙ୍କ ମୋବାଇଲରେ ଏକ ଏସଏମଏସ ପାଇଥିଲେ । ଏହା ପରେ ଉକ୍ତ ଅଜ୍ଞାତ ସନ୍ଦିଗ୍ଧ ବ୍ୟକ୍ତି ଅରୁନ୍ଧତୀ ଅଳଙ୍କାର ଦୋକାନ, ଗ୍ରାଣ୍ଡ ରୋଡ୍, ପୁରୀରେ ଏଟିଏମ୍ କାର୍ଡ ସ୍ୱାଇପ କରି ସୁନା କିଣିଥିଲେ । ଏହାକୁ ନେଇ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଟାଉନ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ସୀତାରାମ ମଣ୍ଡଳକୁ ବିଳମ୍ବିତ ରାତିରେ ବଡ଼ଶଙ୍ଖ ନିକଟରେ ଧରି ବିଏନଏସ ୧/୨୫, ୫/୨୫, ୧୫/୨୫ ଧାରା ଅନୁଯାଇ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଅତିରିକ୍ତ ଏସପି ସୁଶିଲ ମିଶ୍ର କୁମ୍ଭାରପଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଅନ୍ତଃରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କଲା ପୁରୀ ପୋଲିସ
