ଦଶପଲ୍ଲା : ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଏବେ,ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଆଜି ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହେବ । ଇତିମଧ୍ୟରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୨୦ ପଞ୍ଚାୟତ ମଧ୍ୟରୁ ଶାସକ ବିଜେଡି ଦଳ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଗୋଷ୍ଠୀରେ ୧୦ ସମିତିସଭ୍ୟ ରହିଥିବା ବେଳେ ଅସନ୍ତୁଷ୍ଟ ବିଜେଡି ନିକଟରେ ସମାନ ସଂଖ୍ୟକ ନିର୍ବାଚିତ ସମିତିସଭ୍ୟ ଅଛନ୍ତି । ତେବେ ବିଧାୟକଙ୍କ ଦଳର ଅଧ୍ୟକ୍ଷା ପ୍ରାର୍ଥୀ ସିମିଳିସାହି ସମିତିସଭ୍ୟା ସୁନନ୍ଦା ସାହୁ ରହିଛନ୍ତି । ସେ ମଧ୍ୟ ପୂର୍ବ ଯୋଜନାରେ ଅଧ୍ୟକ୍ଷା ରହିଥିଲେ । ସେମିତି ବିରୋଧୀ ଗୋଷ୍ଠୀ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ ବାଣିଗୋଚ୍ଛା ସମିତିସଭ୍ୟା ସୁକାନ୍ତି ଜାନୀଙ୍କୁ ସମ୍ଭବତଃ ପ୍ରାର୍ଥୀ ଭାବେ ମନୋନୀତ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡୁଛି । ଉଭୟଗୋଷ୍ଠୀର ପ୍ରାର୍ଥୀମାନଙ୍କୁ ଘୋଡ଼ା ବେପାର ହେବା ଆଶଙ୍କା କରି ୨୫ଦିନ ହେଲା ଅଜ୍ଞାତବାସରେ ରଖାଯାଇଛି । ଗତକାଲି ସକାଳୁ ବିରୋଧୀଗୋଷ୍ଠୀର ଜଣେ ମହିଳା ସଦସ୍ୟ ଶିବିରରୁ ଅତି ଚତୁରତାର ସହ ଖସି ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି । ଯଦି ସେ ନିର୍ବାଚନରେ ଅନୁପସ୍ଥିତ ରୁହନ୍ତି ତେବେ ବିଧାୟକ ଗୋଷ୍ଠୀର ସୁନନ୍ଦା ସାହୁ ବିଜୟୀ ହେବା ସମ୍ଭାବନା ନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି ।