ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗଣିଆ: ଗଣିଆ ବ୍ଳକ କରଡାପଡା ପଞ୍ଚାୟତ ଗୁଣ୍ଡୁରିବାରି ଗ୍ରାମରେ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ୨୦ ତାରିଖରେ ଅଧିବାସ, ଅଙ୍କୁରାରୋପଣ, କଳସଯାତ୍ରା, ଗର୍ଭାଧାନ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୨୧ ତାରିଖରେ, ସୂର୍ଯ୍ୟପୂଜା, ମନ୍ଦିର ନ୍ୟାସ, ଦେବତା ନ୍ୟାସ,ମନ୍ଦିର ପ୍ରବେଶ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଠାରୁ ୭ କିଲୋମିଟର ଦୂରରେ ଥିବା ପୂଣ୍ୟତୋୟା ମହାନଦୀରୁ ୧୦୮ କଳସୀରେ ଜଳ ଆଣି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ମନ୍ଦିରରେ ପହଞ୍ଚିଥିଲେ । ହରିବୋଲ ହୁଳହୁଳି ମଧ୍ୟରେ ଠାକୁରଙ୍କ ରୀତିନୀତି ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶ୍ରୀଯୁକ୍ତ ନାରାୟଣ ଶତପଥୀ , ସୁବାଷ ଶତପଥୀ ଓ ରଞ୍ଜନ କୁମାର ଦାଶ ଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ଯଥାବିଧି ସମ୍ପନ୍ନ ହୋଇଥିଲା । ଅନ୍ନ ଯଜ୍ଞ, ଘୃତ ଯଜ୍ଞ,ନାମ ଯଜ୍ଞ ସହିତ ନଅ ମୌଜା ଗ୍ରାମବାସୀଙ୍କ ସହଯୋଗରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କରଡାପଡା ସରପଞ୍ଚ ପ୍ରମୋଦିନୀ ସାହୁ, ସମିତି ସଭ୍ୟା ଗୀତା ରାଣୀ ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments (0)
Add Comment