ଭୁବନେଶ୍ୱର : ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବରିଷ୍ଠ ବିଜେପି ନେତା, ବିଧାୟକ, ସାଂସଦଙ୍କ ସମେତ ଦଳୀୟ କର୍ମୀ ଏୟାରପୋର୍ଟରେ ପହଞ୍ଚି ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।
ସେପଟେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜନସାଧାରଣଙ୍କ ଗ୍ରହଣଯୋଗ୍ୟତା ପର୍ଯ୍ୟନ୍ତ ସବୁଠି ଏବେ ତାଙ୍କ ତ୍ୟାଗ ଓ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା।
ଛାତ୍ରଛାତ୍ରୀ ଏବଂ ଯୁବପୀଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ନିଜର ଆବେଗପୂର୍ଣ୍ଣ ଇସ୍ତଫା ପତ୍ରରେ ସେ ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ରକ୍ଷାକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ସାରା ଦେଶର ଯୁବସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଏହି ଗୋଟିଏ ଇସ୍ତଫା ପୋଷ୍ଟ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସମର୍ଥନ ବଢୁଛି। ଧର୍ମେନ୍ଦ୍ରଙ୍କ ଗୋଟିଏ ପୋଷ୍ଟକୁ ୪ କୋଟି ୬୮ ଲକ୍ଷ ଲୋକ ଦେଖିଛନ୍ତି।