ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ବର- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତା’ପରେ ଏହା ଆହୁରି ଘନୀଭୂତ ହୋଇ ୧୬ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ।
ସ୍ପଷ୍ଟଚିହ୍ନିତ ଲଘୁଚାପଟି ବର୍ତ୍ତମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ସକ୍ରିୟ ଥିବାବେଳେ ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପ୍ତ ହୋଇଛି।
ସମ୍ଭାବ୍ୟ ବାତ୍ୟା କେଉଁ ଦିଗରେ ଗତି କରିବ ଓ ଏହାର ପ୍ରଭାବ କିପରି ରହିବ, ସେ ନେଇ ଆକଳନ କରାଯାଇନାହିଁ। ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଦିଗ ସମ୍ପର୍କରେ ଆକଳନ କରାଯାଇପାରିବ ବୋଲି ଜଣାପଡ଼ିଛି। ଯଦି ଏହା ବାତ୍ୟାର ରୂପ ନିଏ, ତା’ହେଲେ ଏହାର ନାଁ ‘ଅକଭାନ’ ରଖାଯିବ।
ବଙ୍ଗୋପସାଗରରେ ଏହି ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତା ପ୍ରଭାବରେ ୧୭ ତାରିଖରୁ ଉପକୂଳ ଓଡ଼ିଶାରେ ପାଗ ବଦଳିପାରେ। ୧୮ ଓ ୧୯ ତାରିଖରେ କିଛି ସ୍ଥାନରେ ବର୍ଷା ହୋଇପାରେ।

Comments (0)
Add Comment