ବୌଦ୍ଧ : ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ଏବଂ ଶିଳ୍ପ ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳବିଭୂତି ଭୂଷଣ ନାୟକ ଏବଂ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଚାଲିଥିବା ଫିଲ୍ଡ ଟେକ୍ନିନିସିଆନ୍ ସ୍ୱଳ୍ପକାଳୀନ ନିଶୁଳ୍କ ଦକ୍ଷତା ପ୍ରଶିକ୍ଷଣ ବିଷୟରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ନିଯୁକ୍ତି ଯେମିତି ନିଶ୍ଚିତ ପାଇବେ ତଦାରଖ କରିବା ପାଇଁ ଜିଲ୍ଲା ଦକ୍ଷତା ତଥା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କୁ ପରାମର୍ଶ ଦେଇଥିଲେ । ଅନଷ୍ଠାନରେ ପାନୀୟ ଜଳର ଅଭାବ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ । କିଛି ପ୍ରଶିକ୍ଷିତ ପିଲାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଶେଷ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାରେ ଅଧିକରୁ ଅଧିକ କେମିତି ଦକ୍ଷତା ପ୍ରଶିକ୍ଷଣ ଆଧୁନିକ ଟ୍ରେଡ୍ରେ ପାଇପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ । ଦରକାର ପଡିଲେ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଅପରାହ୍ନରେ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ଏବଂ ଶିଳ୍ପ ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବୌଦ୍ଧ ସରକାରୀ ବହୁବୃତ୍ତି ଅନୁଷ୍ଠାନ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଏଠାରେ ଥିବା ବିଭିନ୍ନ ପ୍ରୟୋଗମାଳା, କର୍ମଶାଳା ଓ ଶ୍ରେଣୀଗୃହ ବୁଲି ଦେଖିଥିଲେ । ଏହି ସମୟରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିଥିଲେ । ଅନୁଷ୍ଠାନର ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରି ପରିଦର୍ଶନ ସମୟରେ ଅନୁଷ୍ଠାନର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।