ଦିଲ୍ଲୀରେ ୩୪ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଦିନରେ ଓଡ଼ିଶାର ଅର୍ଥିକ ସ୍ଥିତି ଆହୁରି ମଜଭୁତ ହେବ । ବିକାଶ ବହୁଗୁଣରେ ସମୃଦ୍ଧ ହେବ ଏବଂ ଓଡ଼ିଶାକୁ ଆସିବ ବିପୁଳ ପୁଞ୍ଜିନିବେଶ । ଉଭୟ ଦେଶ ଭିତରୁ ଓ ଦେଶ ବାହାରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ ଏବଂ ଓଡ଼ିଶା ହେବ ଶିଳ୍ପ ହବ୍ । ଆଜି ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆମ୍ବାସଡର୍ସ ମିଟ୍‌’ରେ ରାଷ୍ଟ୍ରଦୂତମାନଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଜି ଆଲୋଚନା କରିଛନ୍ତି । ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା ହୋଇଛି । ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ହାଇକମିଶନର,ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ମୁଖ୍ୟମନ୍ତ୍ରୀ ଏହି ଆଲୋଚନା କରିଛନ୍ତି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓ କନ୍‌କ୍ଲେଭ ହେବାକୁ ଥିବା ବେଳେ କନକ୍ଳେଭ୍‌କୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା ପରେ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଞ୍ଜି ବିନିଯୋଗ ନେଇ ସକାରାତ୍ମକ ଆଲୋଚନା ହୋଇଛି । କିପରି ଅଧିକ ବିଦେଶୀ ପୁଞ୍ଜି ନିବେଶ ହେବ ସେନେଇ ଆଲୋଚନା ହୋଇଛି । ଆଲୋଚନା ଫଳପ୍ରଦ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍‌ଲେଭ ହେବାକୁ ଯାଉଛି । ସେମିକଣ୍ଡକ୍ଟର,ପେଟ୍ରୋ କେମିକାଲ୍‌ସ,ଆଇଟିରେ ବିନିଯୋଗ ସମ୍ଭାବନା ଅଧିକ ରହିଛି । ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ଼ ମୂଳଦୁଆ ପକାଇବ । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶାରେ ଶିଳ୍ପ ହବ୍ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ୩୪ଟି ଦେଶରୁ ଆମ୍ବାସଡର୍ସ, ହାଇ କମିଶନର, କନସୁଲ୍‌-ଜେନେରାଲ୍‌, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନୀତିଜ୍ଞମାନେ ସାମିଲ ହୋଇଥିଲେ । ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ୟୁକେ ପରି ଦେଶର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ । ଏଥିସହିତ ୯ଟି ଆନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ, ଯାହା ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନର ସଫଳତାକୁ ସୂଚାଉଛି । ଓଡ଼ିଶା ସରକାରରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଖୁବ୍‌ଶୀଘ୍ର ବିଶ୍ୱସ୍ତରୀୟ ନିବେଶସ୍ଥଳ ହେବାକୁ ଯାଉଛି । ସେ ନୂତନ ବ୍ୟବସାୟର ସମ୍ଭାବନା, ବିଭିନ୍ନ ସେକ୍ଟରରେ ନିବେଶ, ଉପଲବ୍ଧ ଥିବା ଦକ୍ଷ ଶ୍ରମିକ ଏବଂ ନୀତିଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଏଥିସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନଙ୍କ ସହଭାଗୀତା, ଓଡ଼ିଶାର ଉଦ୍ୟୋଗ, ଟେକ୍ନୋଲୋଜି, ପର୍ଯ୍ୟଟନ ଏବଂ ପୁନଃ ନବୀକରଣରେ ନିବେଶ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମେକ୍ ଇନ୍ ଓଡ଼ିଶା ୨୦୨୫ ଉପରେ ଏକ ଭିଡିଓ ପ୍ରକାଶିତ ହୋଇଥିଲା, ଯାହା ଓଡ଼ିଶାରେ ନିବେଶର ସମ୍ଭାବନାକୁ ଦର୍ଶାଇଥିଲା । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଶିଳ୍ପ ନିବେଶର ସୁଯୋଗ ଉପରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ସମାବେଶରେ ଫିକିର ଡାଇରେକ୍ଟର ଜେନେରାଲ୍ ଜ୍ୟୋତି ଭିଜ୍‌,ଉତ୍କର୍ଷ ଓଡ଼ିଶାର ସଫଳତା ପାଇଁ ସହଭାଗିତା କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ମତବ୍ୟକ୍ତ କରିଥିଲେ । ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏ. ଅଜୟ କୁମାର, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଇନଭେଷ୍ଟ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମିସ୍ ନିବୃତି ରାଏ ଓଡ଼ିଶାରେ ନିବେଶର ସୁଯୋଗ ଉପରେ ନିଜର ମତ ରଖିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆମ୍ବାସଡର୍ସମାନଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ସମୃଦ୍ଧ ଇତିହାସ ଏବଂ ଭୌଗୋଳିକ ପରିସୀମା ଏହାକୁ ବିଶ୍ୱସ୍ତରୀୟ ବିନିଯୋଗ ପାଇଁ ପ୍ରସ୍ତୁତ କରିଛି । ସେ ଓଡ଼ିଶାରେ ଥିବା ସମ୍ଭାବନା, ସ୍ଥାନୀୟ ସଂସ୍କୃତି ଏବଂ ଓଡ଼ିଶାରେ ଥିବା କୂଶଳୀ ଶ୍ରମିକମାନଙ୍କ ଉପରେ ଆଲୋକପାତ କରିଥିଲେ ।
ଏହି ସମ୍ମିଳନୀରେ ଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟରେ ନିବେଶ କରିବା ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଉପସ୍ଥିତ ଆମ୍ୱାସଡର୍ସମାନଙ୍କୁ ମଧ୍ୟ ଆଗାମୀ ଉତ୍କର୍ଷ ଓଡ଼ିଶା ପାଇଁ ସ୍ୱାଗତ କରିଥିଲେ । ଓଡ଼ିଶାରେ ନିବେଶ ପାଇଁ ଆୟୋଜିତ ହୋଇଥିବା ଏହି ଆଲୋଚନା ସଭାରେ ସମସ୍ତ ଅତିଥିମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ।
ଆଜି ମଧ୍ୟାହ୍ନଭୋଜନ ପରେ ଦ୍ୱିତୀୟ ସେଗ୍‌ମେଣ୍ଟରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ହୋଇଥିଲା ।

Comments (0)
Add Comment