ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ କମିଟି ପକ୍ଷରୁ ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ପାଟ୍ଟଖଣ୍ଡାଙ୍କ ଦୈନିକ ନିତିର ସୁପରିଚାଳନା ସହ ମା’ଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ ତାଲିକା ଏବଂ ତାହାର ରକ୍ଷଣାବେକ୍ଷଣ କିଭଳି ହୋଇପାରିବ ସେନେଇ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷ ମାନଙ୍କରେ ମନ୍ଦିର ପରିଚାଳନା କମିଟି ମା’ଙ୍କ ସମ୍ପତ୍ତିର କୌଣସି ସଠିକ୍ ବିବରଣୀ ଦେଉନଥିବା ସହ ଆୟ ବ୍ୟୟର କୌଣସି ତଥ୍ୟ ସାର୍ବଜନିକ କରୁନଥିବା ଯୋଗୁଁ ସହରବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏଣୁ ଗତ ୧୦ ବର୍ଷ ମଧ୍ୟରେ ମା ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି କ’ଣ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି, ମା’ଙ୍କ ନିକଟକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନେ କେତେ ,ସୁନା ରୁପା, ଟଙ୍କା ଦାନ ଦେଇଛନ୍ତି ମନ୍ଦିର ପରିଚାଳନା କମିଟିକୁ ଏହାର ଜବାବ ମାଗିଛନ୍ତି ଅଞ୍ଚଳବାସୀ । ଏହି ବୈଠକରେ ଏକ ଅସ୍ଥାୟୀ ଗ୍ରାମ୍ୟ କମିଟି ଗଠନ କରାଯଛି । ମା’ଙ୍କ ସମ୍ପତ୍ତି ତଥା ଆୟ ବ୍ୟୟର ଅଡିଟ୍ କରି ସାର୍ବଜନୀନ କରିବା ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ଦାବିପତ୍ର ଦିଆଯିବା ନେଇ ସ୍ଥିର କରାଯାଇଛି । ମା ପାଟ୍ଟଖଣ୍ଡା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ । ମା’ଙ୍କ ନିତି ସୁରୁଖୁରୁରେ ହେବା ସହ ମା’ଙ୍କ ସମ୍ପତ୍ତି ସୁରକ୍ଷିତ ରହିବା ଆବଶ୍ୟକ ବୋଲି ସମସ୍ତ ଜନସାଧାରଣ ମତପ୍ରକାଶ କରିଛନ୍ତି । ଏହି ସାଧାରଣ ସଭାରେ ବାଲିଗୁଡ଼ା ସହରର ୧୩ ଟି ଓ୍ବାର୍ଡର ଜନସାଧାରଣଙ୍କ ସମେତ ସମସ୍ତ କାଉଁସିଲର, ବୁଦ୍ଧିଜୀବୀ, ସହରର ବ୍ୟବସାୟୀଙ୍କ ସମେତ ମା ପାଟ୍ଟଖଣ୍ଡା ମାର୍କେଟ କମ୍ପ୍ଲେକ୍ସର ସମସ୍ତ ବ୍ୟବସାୟୀ, ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ସଦସ୍ୟ ସାମିଲ୍ ହୋଇ ମା’ଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ ତାଲିକା ଏବଂ ଆୟବ୍ୟୟର ସମସ୍ତ ତଥ୍ୟ ଯଥାଶୀଘ୍ର ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।